ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଔଷଧ ପୋଡ଼ି, ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ

ମହାକାଳପଡ଼ା, ୩୦ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗ୍ରାମାଞ୍ଚଳରେ ବସବାସ କରୁଥିବା କିଶୋରୀ ବାଳିକାମାନଙ୍କର ଶାରୀରିକ, ମାନସିକ, ସ୍ବାସ୍ଥ୍ୟ ଅଭିବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ମାଗଣାରେ ଆଇରନ, ଭିଟାମିନ, କୃମି ନାଶ ବଟିକା ବଣ୍ଟନ କରାଯାଉଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୬ ହଜାର କିଶୋରୀ ବାଳିକାଙ୍କ ପାଇଁ ଆସିଥିବା ଔଷଧକୁ ସେମାନଙ୍କୁ ବଣ୍ଟନ କରିବା ପରିବର୍ତ୍ତେ କାର୍ଯ୍ୟାଳୟ ସମ୍ମୁଖରେ ପୋଡ଼ି ଦିଆଯାଇଛି। ପ୍ରାୟ ୧୦ ପେଟିରୁ ଅଧିକ ବଟିକା ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କିଶୋରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବଟିକାକୁ କାର୍ଯ୍ୟାଳୟ କର୍ମଚାରୀମାନେ ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ବଣ୍ଟନ ନ କରି କେଉଁ ପରିସ୍ଥିତିରେ ପୋଡ଼ି ଦେଲେ, ତାହାକୁ ନେଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହାର ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ସିଡିପିଓ କବିତା ମଲିକଙ୍କୁ ପଚାରିବାରେ ତାହା ମିଥ୍ୟା ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ରଘୁରାମ ଆର. ଆୟରଙ୍କୁ ପଚାରିବାରେ ଯଦି ଔଷଧ ପୋଡ଼ି ଦିଆଯାଇଥାଏ ତେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily