ମେ’ଫେୟାର: ଭୁବନେଶ୍ୱରରେ ଟେକିଦେବେ ୧୦.୮୪୫ ଏକର ଜଙ୍ଗଲ ଜମି

ଭୁବନେଶ୍ୱର,୬।୧୧ (ରବିନାରାୟଣ ଜେନା):ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ରାଜଧାନୀ ଛାତି ଉପରେ ଥିବା ଅମୂଲ୍ୟ ସମ୍ପଦକୁ ବଡ଼ବଡ଼ିଆଙ୍କୁ ଟେକିଦେବା ପାଇଁ ଜଙ୍ଗଲ ବିଭାଗର ବଡ଼ବାବୁମାନେ ଭାରି ବ୍ୟସ୍ତତା ଦେଖାଉଥିବା ପରିଲକ୍ଷିତ ହୋଇଛି। କେଉଁଠି ବିଲ୍‌ଡର୍ସଙ୍କ ପାଇଁ ଜଙ୍ଗଲ ଜମିକୁ ରାତାରାତି ଅଣଜଙ୍ଗଲ କିସମରେ ପରିବର୍ତ୍ତନକରିବା ପାଇଁ ସବୁ ବଳ ଖଟାଉଛନ୍ତି ତ ଆଉ କେଉଁଠି ହୋଟେଲ ବ୍ୟବସାୟୀଙ୍କ ପାଇଁ ସତେଯେମିତି ହୃଦୟ ଖୋଲିଦେଉଛନ୍ତି। ଏମିତିକି ସରକାରୀ ନୀତିନିୟମକୁ ଜଳାଞ୍ଜଳି ଦେବାକୁ ମଧ୍ୟ କେତେକ କ୍ଷେତ୍ରରେ ପଛାଉନାହାନ୍ତି, ଯାହାର ସଦ୍ୟ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ମେ’ଫେୟାରକୁ ଜଙ୍ଗଲ ଜମି ଯୋଗାଣ କ୍ଷେତ୍ରରେ। ମେ’ଫେୟାରକୁ ଭୁବନେଶ୍ୱରରେ ୪ଟି ପ୍ଲଟ୍‌ରେ ସମୁଦାୟ ୧୦.୮୪୫ ଏକର ଜଙ୍ଗଲ ଜମି ଟେକିଦେବାକୁ ଜଙ୍ଗଲ ବିଭାଗର ବଡ଼ ଅଧିକାରୀଙ୍କ ବ୍ୟଗ୍ରତା ଦେଖାଦେଇଛି। ତଳିଆ କର୍ମଚାରୀମାନେ ଏକ୍ଷେତ୍ରରେ ପଛଘୁଞ୍ଚା ଦେଉଥିବାବେଳେ ବଡ଼ବଡ଼ିଆ ବାବୁମାନେ ଚାପ ପ୍ରୟୋଗକରି ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମି କିସମରେ ପରିବର୍ତ୍ତନକରିବା ପାଇଁ କିପରି ଆଗଭର ହେଉଛନ୍ତି ତାହା ଏସିଏଫ୍‌ ସୁଜୋୟ ଦତ୍ତଙ୍କ ବିବରଣୀରୁ ଜଣାଯାଇଛି।
ଫୋଟ୍‌ନାଇଟଲି ରିଜିଓନାଲ କୋ-ଅର୍ଡିନେଶନ ମିଟିଂ (ଏଫ୍‌ଆର୍‌ସିଏମ୍‌)ର ୮୬ତମ ବୈଠକର ସୂଚନା ଅନୁଯାୟୀ, ଡାଇରେକ୍ଟର ଇନ୍ସପେକ୍ଟର ଜେନେରାଲ ଅଫ୍‌ ଫରେଷ୍ଟ (ଡିଆଇଜିଏଫ୍‌-ସେଣ୍ଟ୍ରାଲ)ଙ୍କ ଅଧ୍ୟକ୍ଷତାରେ ୪୭ଟି ଜଙ୍ଗଲ କିସମ ଜମିକୁ ଅଣଜଙ୍ଗଲ କିସମରେ ପରିବର୍ତ୍ତନକରିବା ପାଇଁ ନିକଟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ପରିବେଶ-୧ର ଅନୁମତି ଆଣିବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ସେଥିରେ ମେ’ ଫେୟାରର ୪ଟି ପ୍ରସ୍ତାବ ରହିଥିଲା, ଯେଉଁଥିରେ କି ପ୍ରଥମ ପ୍ରସ୍ତାବରେ ୧.୨୧୬ ହେକ୍ଟର ଜଙ୍ଗଲ ଜମି ମେ’ ଫେୟାର ହୋଟେଲ୍ସ ଆଣ୍ଡ ରିସୋର୍ଟ ଲିଃ. ନାମରେ କରିବା ପାଇଁ ରହିଥିବାବେଳେ ଦ୍ୱିତୀୟଟିରେ ୦.୦୯୪ ହେକ୍ଟର, ତୃତୀୟଟିରେ ୦.୨୪୭ ହେକ୍ଟର ଏବଂ ଅନ୍ୟଟିରେ ୨.୮୩୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରିବା ତଥା ଏହାର ପରିବେଶ-୧ ଅନୁମତି ଆଣିବାକୁ ପ୍ରସ୍ତାବ ରହିଥିଲା। ଏନେଇ ଡିଆଇଜିଏଫ୍‌ (କେନ୍ଦ୍ରୀୟ) ନୋଡାଲ

ଡିସିଏଫ୍‌ଙ୍କୁ ପ୍ରଶ୍ନ କରିଥିଲେ ଯେ, କ’ଣ ପାଇଁ ଏତେଦିନ ଧରି ଏହା ପଡ଼ିରହିଛି। ଏନେଇ ପୁନର୍ବାର ସମ୍ପୃକ୍ତ ବନ ଅଧିକାରୀ(ଡିଏଫ୍‌ଓ)ଙ୍କୁ ତୁରନ୍ତ ଅବଗତ କରାଇବାକୁ ଡିଆଇଜିଏଫ୍‌ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଡିସିଏଫ୍‌-ନୋଡାଲ ସୂଚନା ଦେଇଥିଲେ, ଏହି ପ୍ରସ୍ତାବ ପଡ଼ିରହିବା ପାଇଁ ଅନେକ କାରଣ ରହିଛି। ତେବେ ସେଥିମଧ୍ୟରୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିୟମ ଉଲ୍ଲଂଘନ ନେଇ ଆକ୍ସନ ଟେକେନ ରିପୋର୍ଟ ହସ୍ତଗତ ହୋଇନାହିଁ। ଏହି ପରିପ୍ରେକ୍ଷୀରେ ଡିଏଫ୍‌ଓ ଚନ୍ଦକା(ବନ୍ୟପ୍ରାଣୀ) ସୂଚନା ଦେଇଥିଲେ, ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗକୁ ଅବଗତ କରାଯାଇଛି। ତେବେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଜଙ୍ଗଲ କିସମ ଜମିକୁ ବିଶିଷ୍ଟ ହୋଟେଲ ବ୍ୟବସାୟୀଙ୍କୁ ଦେବା ପାଇଁ କାହିଁକି ଯେ ଏତେ ବ୍ୟଗ୍ର ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରାଜ୍ୟର ଆଦିବାସୀମାନେ ଦୀର୍ଘବର୍ଷ ଧରି ଜଙ୍ଗଲ ଜମି ଉପରେ ତାଙ୍କର ହକ୍‌ ପାଇପାରୁ ନ ଥିବାବେଳେ ବଡ଼ବଡ଼ିଆଙ୍କ ପାଇଁ ଜଙ୍ଗଲ ଅଧିକାରୀମାନେ କାହିଁକି ଏତେ ବ୍ୟାକୁଳ ହେଉଛନ୍ତି ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share