ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଏମିତି କରନ୍ତୁ ଚେକ୍‌

କଟକ,୨ା୫: ଶୁକ୍ରବାର ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। କଟକସ୍ଥିତ ବିଏସ୍‌ଇ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ରେଜଲ୍ଟ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତବର୍ଷ ପାସ୍‌ ହାର ରହିଛି ୯୪.୯୩%।  ସବୁଥର ପରି ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍‌ ହାର ଅଧିକ ରହିଛି।

ଚଳିତବର୍ଷ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୪ ଲକ୍ଷ ୮୪ ହଜାର ୮୬୩ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ୧୭ ହଜାର ୩୮୪ ଜଣ ଛାତ୍ରୀଛାତ୍ର ଫେଲ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୪୦ ହଜାର ୨୫୧ ଛାତ୍ର କୃତକାର୍ଯ୍ୟ ହୋଇଥିବା ବେଳେ ୨ ଲକ୍ଷ ୪୪ ହଜାର ୬୧୨ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

ଚଳିତ ଥର A1 ଗ୍ରେଡ୍‌ରେ ୧୮୧୨ ଜଣ ରହିଥିବା ବେଳେ A2 ରେ ୧୨ ହଜାର ୨୦୦, B1ରେ ୩୮ ହଜାର ୮୩୧, B2ରେ ୮୪ ହଜାର ୯୭୧, Cରେ ୧ ଲକ୍ଷ ୩୩ ହଜାର ୮୨୨, Dରେ ୧ ଲକ୍ଷ ୪୬ ହଜାର ୧୫୪ ଓ E ଗ୍ରେଡ୍‌ରେ ୬୭ ହଜାର ୧୩ ଜଣ ପାସ କରିଛନ୍ତି । ଗଜପତିରେ ସର୍ବାଧିକ ଛାତ୍ରୀଛାତ୍ର ପାସ୍‌ କରିଥିବାବେଳେ କୋରାପୁଟରେ ସର୍ବନିମ୍ନ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ଗଜପତି ଜିଲାରେ ପାସ୍‌ହାର ୯୯.୩୫% ହୋଇଥିବାବେଳେ କୋରାପୁଟରେ ପାସ୍‌ହାର ସର୍ବନିମ୍ନ ୯୨.୮୩% ରହିଥିବା ମନ୍ତ୍ରୀ କହିଛନ୍ତି।

ସନ୍ଧ୍ୟା ୬ଟା ପରେ ଛୀତ୍ରୀଛାତ୍ର ବୋର୍ଡର ଅଫିସିଆଲ ଓ୍ବେବ୍‌ସାଇଟ www.bseodisha.ac.in ଏବଂ www.orissaresults.nic.inରେ ସେମାନଙ୍କର ଫଳାଫଳ ଦେଖିପାରିବେ।

ଛାତ୍ରୀଛାତ୍ର ସେମାନଙ୍କର ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓ୍ବେବ୍‌ସାଇଟ୍‌ରେ ଫଳାଫଳ ଯାଞ୍ଚ କରିପାରିବେ। ଏହା ସହିତ, ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ସୁବିଧା ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏଥିପାଇଁ ଛାତ୍ରୀଛାତ୍ର ନିର୍ଦ୍ଦିଷ୍ଟ ନମ୍ବରକୁ ମେସେଜ ପଠାଇପାରିବେ, ଯାହାର ବିବରଣୀ ୱେବ୍‌ସାଇଟ୍‌ରେ ପ୍ରକାଶ କରାଯିବ।

ଏହି ରେଜଲ୍ଟ ପ୍ରକାଶ ପରେ ଯେଉଁ ଛାତ୍ରୀଛାତ୍ର ଫଳାଫଳ ନେଇ ଅସନ୍ତୁଷ୍ଟ ହେବେ, ସେମାନେ ପୁନଃମୂଲ୍ୟାୟନ କିମ୍ବା ପୁନଃଯାଞ୍ଚ ପାଇଁ ଆବେଦନ କରିପାରିବେ, ଯାହାର ବିବରଣୀ ବୋର୍ଡ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହେବ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Share