ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର ବିଶାଳ ଅହିରାଜ ସାପ ଉଦ୍ଧାର ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଆତଙ୍କ ଖେଳିଯାଇଥିଲା।
ମନ୍ଦିର ପରିସରରେ ଏକ ବିଶାଳ ସାପ ବୁଲୁଥିବା ଜଣେ ଗ୍ରାମବାସୀ ପ୍ରଥମେ ଦେଖିବାକୁ ପାଇଥିଲେ। ସାପଟି ଭୟଙ୍କର ଗର୍ଜନ କରିବାରୁ ସେ ଭୟଭୀତ ହୋଇ ଲୋକଙ୍କୁ ଖବର ଦେଇଥିଲେ।

ଖବର ପାଇ ସ୍ନେକ ହେଲ୍ପଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ ଓ ଜଗନ୍ନାଥ ସାହୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଅତି ସତର୍କତାର ସହ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଏକ ଧାନ ବିଲକୁ ଆଣି କାବୁ କରିଥିଲେ। ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ଏହି ବିଶାଳ ସାପକୁ ଦେଖିବା ପାଇଁ ମନ୍ଦିର ଓ ରାସ୍ତା କଡ଼ରେ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା। ସ୍ନେକ ହେଲ୍ପଲାଇନର ତ୍ୱରିତ ପଦକ୍ଷେପ ଯୋଗୁଁ ଉଭୟ ସାପ ଓ ସ୍ଥାନୀୟ ଲୋକଙ୍କ ସୁରକ୍ଷା ନିଶ୍ଚିତ ହୋଇପାରିଛି।


