୨୧ରେ ମାଓବାଦୀ ପାଳିବେ ପ୍ରତିଷ୍ଠା ଦିବସ: ବ୍ୟାନର ଲଗାଇ…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା, ସୁଡ୍ରା ଓ ଖମଣଖୋଲ ପଞ୍ଚାୟତରୁ ଫିରିଙ୍ଗିଆ ବ୍ଲକ୍‌କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଏକାଧିକ ସ୍ଥାନରେ ଗୁରୁବାର କେକେବିଏନ୍‌ ମାଓବାଦୀ ସଂଗଠନ ପକ୍ଷରୁ ବ୍ୟାନର ଲଗାଯାଇଛି।

ଆସନ୍ତା ୨୧ ତାରିଖରେ ମାଓବାଦୀମାନେ ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିବେ। ଏହି ଅବସରରେ ବିପ୍ଳବୀଙ୍କୁ ଉତ୍ସାହିତ କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି।

ଦୀର୍ଘ ଦିନପରେ କେକେବିଏନ୍‌ ମାଓବାଦୀ ସଙ୍ଗଠନର ଏହି ବ୍ୟାନର ଦେଖି ଅଞ୍ଚଳରେ ପୁଣି ଭୟ ସୃଷ୍ଟି ହୋଇଛି। ସେପଟେ କନ୍ଧମାଳ ପୋଲିସ୍‌ ପକ୍ଷରୁ ମାଓବାଦୀ ଦମନ ପାଇଁ ଜୋରଦାର୍‌ ପ୍ରଚେଷ୍ଟା ଚାଲିଥିବା ବେଳେ ଦୀର୍ଘଦିନ ପରେ ପୁଣି ଥରେ ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀ ସଙ୍ଗଠନର ନିଜର ସ୍ଥିତି ଜାହିର କରିଛି। ଏହା ପୋଲିସ୍‌ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।