ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ ଆଇଡି ବିସ୍ପୋରକ ଖଞ୍ଜିଥିଲେ ମାଓବାଦୀ l ଏଭଳି ଏକ ଘଟଣା କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ପାରିଗଡ଼ ପଞ୍ଚାୟତର ବାଡୁସୀ ଗାଁ ନିକଟସ୍ଥ ଗାଙ୍ଗେରିସାରୁ ଜଙ୍ଗଲରେ ୪ଟି ଆଇଡି ବିସ୍ଫୋରକକୁ ଜବତ ପରେ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ। ମାଓବାଦୀ ମୁକ୍ତ କନ୍ଧମାଳ ନେଇ ଡେଡ୍ଲାଇନ ସମୟ ପାଖେଇ ଆସୁଥିବା ବେଳେ ସିଆର୍ପିଏଫ୍ ୧୨୭ ବାଟାଲିୟନର ‘ଡି’ କମ୍ପାନୀ ଓ କନ୍ଧମାଳ ପୋଲିସ ପକ୍ଷରୁ ମିଳିତ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଥିଲା l
ଏହି ସମୟରେ ଗାଙ୍ଗେରିସାରୁ ଜଙ୍ଗଲରୁ ବଡ଼ ଧରଣର ମାଓବାଦୀ କ୍ୟାମ୍ପକୁ ମଧ୍ୟ ଠାବ କରାଯାଇଛି। ସେଠାରୁ ବିପୁଳ ପରିମାଣରେ ଡିଟୋନେଟର, ଜିଲୋଟିନ, ବିସ୍ପୋରକ ବ୍ୟବହୃତ ସାମଗ୍ରୀ, ମେଡିସିନ, ବାସନକୁସନ, ମାଓବାଦୀ ଆର୍ଟିକାଲ ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ ଗାଙ୍ଗେରୀସାରୁ ଜଙ୍ଗଲରେ କୋମ୍ବିଂ ଅପରେଶନକୁ କଡ଼ାକଡ଼ି କରାଯିବା ସହ ସର୍ଚ୍ଚ ଅପେରଶନ ମଧ୍ୟ ଜାରି ରହିଛି। ତେବେ ୩୧ମାର୍ଚ୍ଚ ସୁଦ୍ଧା କନ୍ଧମାଳ ଜିଲାକୁ ମାଓବାଦୀ ମୁକ୍ତ କରାଯିବା ନେଇ ଲକ୍ଷ୍ୟ ରହିଥିବା ବେଳେ ବର୍ତ୍ତମାନ ମାଓବାଦୀ ଲିଡର ଶୁକ୍ରୁଙ୍କୁ ଖୋଜୁଛି ପୋଲିସ। କନ୍ଧମାଳ-ରାୟଗଡ଼ା-କଳାହାଣ୍ଡି ସୀମାନ୍ତରେ ଟପ ମାଓବାଦୀ ନେତା ଶୁକ୍ରୁ ଓ ତାଙ୍କ ସହଯୋଗୀ ଲୁଚି ରହିଥିବାବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବିଭିନ୍ନ ଜଙ୍ଗଲରେ କୋମ୍ବିଂ ଅପରେଶନକୁ କଡ଼ାକଡ଼ି କରାଯାଉଥିବା ଜଣାପଡ଼ିଛି।

