ମାଟିରେ ମିଶିଲା ଅନେକ ଦୋକାନ ଘର, ପୋଲିସ-ନେତା ଧସ୍ତାଧସ୍ତି

ବରଗଡ଼,୭ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ପ୍ରଶାସନ ପକ୍ଷରୁ ରବିବାରରୁ ପୁଣି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ଟାଉନ ଥାନା ଛକ, ଲେଙ୍ଗୁ ମିଶ୍ର ଛକରେ ଏହି ଅଭିଯାନ ଚାଲିଛି। ଉଚ୍ଛେଦରେ ଅନେକ ଦୋକାନ ଘର ଧୂଳିସାତ୍‌ ହୋଇଛି। ତେବେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ବେଆଇନ ଦର୍ଶାଇ କଂଗ୍ରେସ ନେତା ନିପନ କୁମାର ଦାଶ ଉଚ୍ଛେଦସ୍ଥଳକୁ ପହଞ୍ଚି ସ୍ବର ଉତ୍ତୋଳନ ତଥା ପ୍ରତିବାଦ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ପୋଲିସ କଂଗ୍ରେସ ନେତା ଦାଶଙ୍କୁ ସେଠାରୁ ଥାନାକୁ ଉଠାଇ ନେଇଥିଲା। ଏହା ପ୍ରଘଟ ହେବା ପରେ ସ୍ଥାନୀୟ ଅନେକ କଂଗ୍ରେସ ନେତା, କର୍ମୀ ବରଗଡ଼ ଗାନ୍ଧିଛକରେ ପହଞ୍ଚି ରାସ୍ତା ଅବରୋଧ ସହିତ ଥାନାରେ ଅଟକ ଥିବା କଂଗ୍ରେସ ନେତା ଦାଶଙ୍କୁ ନିଃସର୍ତ୍ତରେ ଛାଡ଼ିବାକୁ ଦାବି କରିଥିଲେ। ସେଠାରେ ମଧ୍ୟ ପୋଲିସ ଏବଂ କଂଗ୍ରେସ ନେତା, କର୍ମୀଙ୍କ ସହିତ ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା। ପୋଲିସ ସେଠାରୁ ଛାତ୍ର କଂଗ୍ରେସ ନେତା ଗୌରବ ପତି ଆଜାଦଙ୍କ ସମେତ ଆନ୍ଦୋଳନରେ ସାମିଲ ଥିବା ଅନ୍ୟ ନେତା, କର୍ମୀଙ୍କୁ ଉଠାଇ ନେଇଥିଲା।

Share