ସରିଛି ନବୀନଙ୍କ ଅସ୍ତ୍ରୋପଚାର: ବିଜେଡିର ବହୁ ନେତା…

ଭୁବନେଶ୍ୱର,୨୪ା୬(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଦେଖାକରିବା ଲାଗି ବିଜେଡିର ବହୁ ନେତା ମଙ୍ଗଳବାର ମୁମ୍ବାଇ ଗସ୍ତରେ ଯାଇଛନ୍ତି। ଆଉ କେତେଜଣ ନେତା ବୁଧବାର ସକାଳୁ ମୁମ୍ବାଇ ଯିବେ ବୋଲି ଜଣାପଡ଼ିଛି। ଏହି ନେତାମାନେ ବୁଧବାର ପୂର୍ବାହ୍ନରେ ନବୀନଙ୍କୁ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଦେଖାକରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ବୁଝିବେ ବୋଲି ଜଣାପଡ଼ିଛି। ନବୀନ ଗତ ୨୦ ତାରିଖରେ ସର୍ଭିକାଲ ଆର୍ଥ୍ରାଇଟିସ୍‌ ଚିକିତ୍ସା ଲାଗି ମୁମ୍ବାଇ ଯାଇଥିବା ବେଳେ ଗତ ୨୨ ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିବା ଜଣାପଡିଛି। ଏହା ପରେ ସେ ସୁସ୍ଥ ଥିବା ନେଇ ତାଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ନବୀନଙ୍କ ଭାଇ ମଧ୍ୟ ସୋମବାର ଏକ ଭିଡିଓ ବାର୍ତ୍ତା ଜରିଆରେ ସୂଚନା ଦେଇଥିଲେ। ଏବେ ଦଳର କେତେଜଣ ନେତା ମୁମ୍ବାଇ ଗସ୍ତ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ବିଜେଡି ବିଧାୟକ ସୁଶାନ୍ତ ରାଉତ, ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ, ବିଧାୟକ ବ୍ୟୋମକେଶ ରାୟ, ବିଶ୍ୱରଞ୍ଜନ ମଲିକ, ସଞ୍ଜୀବ ମଲିକ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖ ଏବେ ମୁମ୍ବାଇରେ ଅଛନ୍ତି। ବୁଧବାର ବିଧାୟକ ଅରୁଣ କୁମାର ସାହୁଙ୍କ ସମେତ ଆଉ କେତେଜଣ ମୁମ୍ବାଇ ଗସ୍ତ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

Share