ଭୁବନେଶ୍ୱର,୧୭ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ବିଜେଡି, ଭାଜପା ନେତା ଓ କର୍ମୀ ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ମିଶ୍ରଣ ପର୍ବରେ ପିସିସି ସଭାପତି ଭକ୍ତ ଚରଣ ଦାସ ନବାଗତଙ୍କୁ ଟୋପି ଓ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଥିଲେ।
ଏହି ଅବସରରେ ଭକ୍ତ କହିଥିଲେ, କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱ, ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆଦର୍ଶ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ତ୍ୟାଗରେ ଅନୁପ୍ରାଣିତ ହୋଇ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଡୁତାଇ, ହରିଗଡ଼ ଓ ଦଦରଲୁଣ୍ଡା ଗ୍ରାମପଞ୍ଚାୟତରୁ ବିଜେଡି ଓ ଭାଜପାର ଅନେକ ପଦାଧିକାରୀ କଂଗ୍ରେସରେ ଯୋଗଦେଇଛନ୍ତି। ଭଞ୍ଜନଗର ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଯୁବନେତା ପ୍ରଶାନ୍ତ କୁମାର ବିଶୋୟୀ ସାଧାରଣ ଜନତା ବିଶେଷକରି ମହିଳା, ଯୁବକ, କୃଷକ, ଛାତ୍ର ଏବଂ ଆଦିବାସୀ ଓ ଦଳିତମାନଙ୍କ ସ୍ବାର୍ଥରକ୍ଷା ପାଇଁ ଯେଉଁ ନିଷ୍ଠାପର ସଂଗ୍ରାମ କରିଆସୁଛନ୍ତି ସେଥିରେ ତାଙ୍କ ଜନାଦୃତି ବଢ଼ିଛି। ଦୁର୍ନୀତି, ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଚାଷୀ ପ୍ରତି ଉଦାସୀନତା ଓ ଉତ୍କଟ ବେକାରି ସମସ୍ୟା ପ୍ରସଙ୍ଗରେ ଲଢ଼େଇ କରିବା ପାଇଁ କଂଗ୍ରେସ ହିଁ ଉପଯୁକ୍ତ ପ୍ଲାଟ୍ଫର୍ମ। ଆଗାମୀ ଦିନରେ ରାଜ୍ୟର ବିକଳ୍ପ କେବଳ କଂଗ୍ରେସ ହିଁ ହେବ ବୋଲି ଭକ୍ତ କହିଥିଲେ।
ଏହି ଅବସରରେ ଭଞ୍ଜନଗର କୁଡ଼ୁତାଇ ଗ୍ରାମପଞ୍ଚାୟତର ବିଜେଡି ସମିତିସଭ୍ୟ ପ୍ରତିନିଧି ରବୀନ୍ଦ୍ର କୁମାର ଦୋଷନ୍ଦି, ନାଏବ ସରପଞ୍ଚ ଦେବରାଜ ଗୌଡ଼, ଯୁବ ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ନାୟକ, ୱାର୍ଡସଭ୍ୟ ସାଗର ପାତ୍ର, ଦଦରଲୁଣ୍ଡା ଗ୍ରାମପଞ୍ଚାୟତରୁ ବଳଭଦ୍ର ଦିଗାଲ, କୃଷ୍ଣ ନାୟକ, ଶଙ୍କର ସାହୁ ପ୍ରମୁଖ ବିଜେଡି ଓ ଭାଜପା ଛାଡ଼ି ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି।