ଆନନ୍ଦପୁର,୪।୧୨( ସୁଶାନ୍ତ କୁମାର ସାହୁ ): ରାତିସାରା ପଞ୍ଚାୟତ ସମ୍ମୁଖରେ ଧାରଣାରେ ରହିଲେ। ସକାଳୁ ସକାଳୁ ଗୁରୁବାର ମାଣବସା ଓଷା ପାଳନ କଲେ। ଏଭଳି ଘଟଣା ଦେଖିବାକୁ ମିଳିଛି କଣ୍ଟିପାଳ ପଞ୍ଚାୟତରେ। କଣ୍ଟିପାଳ ସରପଞ୍ଚ ପଦ୍ମିନୀ ନାଏକଙ୍କ ବିରୁଦ୍ଧରେ ୮ ଜଣ ସଭ୍ୟ ଅନାସ୍ଥା ଆଣିଥିବା ବେଳେ ବୁଧବାର ଏହାର ଭୋଟିଂ ହେବା ବଦଳରେ ବିଡିଓ ଦେହ ଅସୁସ୍ଥ ଦର୍ଶାଇ ଭୋଟିଂ କାର୍ଯ୍ୟ ଭଣ୍ଡୁର କରିଥିବା ଦେଖିବାକୁ ମିଳିଛି। ଏ ନେଇ ୱାର୍ଡ ସଭ୍ୟମାନେ ବୁଧବାରଠାରୁ ପଞ୍ଚାୟତ ଆଗରେ ଧାରଣରେ ବସିଛନ୍ତି । ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ କଣ୍ଟିପାଳ ସରପଞ୍ଚ ପଦ୍ମିନୀ ନାଏକଙ୍କ ନାମରେ ୮ ଜଣ ସଭ୍ୟ ଗତ ୩ ମାସ ହେବ ଅନାସ୍ଥା ଆଣିଥିବା ବେଳେ ଉପଜିଲାପାଳଙ୍କ ଚିଠି ନମ୍ବର ୧୦୨୧୩ ଅନୁଯାୟୀ ୩ ତାରିଖ ୧୧.୩୦ ସମୟ ବୁଧବାର ବିଡିଓଙ୍କ ଉପସ୍ଥିରେ ଭୋଟିଂ ହେବାର ଥିଲା । ଏ ବାବଦରେ ସମସ୍ତଙ୍କୁ ଚିଠି କରାଯାଇଥିଲା । ହେଲେ ଏହା ଜାଣିଶୁଣି ବିଡିଓ ଦିନ ୧୧ ସମୟରେ ଦେହ ଅସୁସ୍ଥ ଜଣାଇ ରହିଯାଇଥିବା ୱାର୍ଡ ସଭ୍ୟମାନେ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲାରେ ନାରୀମାନଙ୍କୁ ସମ୍ମାନ ଦେବା ବଦଳରେ ସେମାନଙ୍କ ପରୋକ୍ଷରେ ସମ୍ମାନ ସହ ଖେଳ ଖେଳୁଥିବା ସଭ୍ୟ ଉମାମଣି ନାଏକ, ଅଳକା ବାରିକ, ଇନ୍ଦୁମତୀ ଖଣ୍ଡା, ମଞ୍ଜୁଲତା ବାରିକ, ସୁକାନ୍ତି ବେହେରା କହିଛନ୍ତି। ଭୋଟିଂ ନହେବାରୁ ପଞ୍ଚାୟତ ସମ୍ମୁ୍ଖରେ ରାତି ତମାମ ଖୋଲା ଆକାଶ ତଳେ ଶୀତ କାକରରେ ନିଆଁ ଜାଳି ରହିଥିବା ଦେଖିବାକୁ ମିଳିଛି । ଏହା ଖୁଲୁମ ଖୋଲା ପ୍ରଶାସନ ତରଫରୁ ୱାର୍ଡ ସଭ୍ୟମାନଙ୍କ ପ୍ରତି ଅବହେଳା ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।ଏହା ଦିନେ ଦୁଇଦିନ ଭିତରେ ସମାଧାନ ନହେଲେ ସଭ୍ୟ ମାନଙ୍କର କୌଣସି ଅସୁବିଧା ଘଟିଲେ ପ୍ରଶାସନ ଦାୟୀ ରହିବେ ବୋଲି ୱାର୍ଡ ସଭ୍ୟ ଧୂର୍ ନାଏକ,ହରିହର ନାଏକ, ନରେନ୍ଦ୍ର ବିରୁଆ ପ୍ରକାଶ କରିଛନ୍ତି ।