ଭୁବନେଶ୍ବର, ୯।୮: ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି। ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ନିଗମ, ବୋର୍ଡ ଓ କମିଟି ନିଯୁକ୍ତି ନେଇ ରଖିଛନ୍ତି ବଡ଼ ପ୍ରତିକ୍ରିୟା। ସେ କହିଛନ୍ତି, ତାଲିକା ଦିଲ୍ଲୀରେ ନୁହେଁ, ବରଂ ଓଡ଼ିଶାରେ ହିଁ ପ୍ରସ୍ତୁତ ହେବ। ଏହା ସହିତ ସେ କହିଛନ୍ତି ଯେ, ଆଗାମୀ ୧୫ କିମ୍ବା ୨୦ ତାରିଖ ପରେ ନିଗମ, ବୋର୍ଡ ଓ କମିଟି ଗଠନ ହୋଇପାରେ, ତେବେ ବର୍ତ୍ତମାନ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ।
ମନମୋହନ ସାମଲ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ବୈଠକ କରିଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଦଳୀୟ ନେତାମାନଙ୍କ ସହ ଆଲୋଚନା ଓ ଚର୍ଚ୍ଚା ପରେ ନିଷ୍ପତ୍ତି ନିଆଯିବ।” ଏହା ସହିତ ସେ ସଙ୍ଗଠନିକ କାର୍ଯ୍ୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ଦିଲ୍ଲୀରେ ଆଲୋଚନା ହୋଇଥିବା ଉଲ୍ଲେଖ କରିଛନ୍ତି।
ଏହା ପୂର୍ବରୁ ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା, କିନ୍ତୁ ସଭାପତି ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀରେ ଏହି ବିଷୟରେ କୌଣସି ଆଲୋଚନା ହୋଇ ନାହିଁ। ତେବେ, ନିଗମ ଓ ବୋର୍ଡ ନିଯୁକ୍ତି ନେଇ ରାଜ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି। ଅନେକ ନେତା ଏହି ପଦବୀ ପାଇଁ ଆଶାୟୀ ଥିବା ବେଳେ, ସଙ୍ଗଠନରେ ସ୍ଥାନ ନପାଇବା ନେତାମାନଙ୍କୁ ନିଗମ ଓ ବୋର୍ଡରେ ସ୍ଥାନ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।