ନୂଆଦିଲ୍ଲୀ,୩।୯: କକରୋଚ୍ ଜନତା ପାର୍ଟି (CJP) ପରେ ଏବେ ‘କକରୋଚ୍ ଜନତା ପାର୍ଟି ଡେମୋକ୍ରାଟିକ’ (CJPD) ଘୋଷଣା ହୋଇଛି । ମନୀଷ ବ୍ରହ୍ମଭଟ୍ଟ ଗୁରୁବାର ଏହି ଘୋଷଣା କରିବା ସହ CJP ଏବେ ସମ୍ପୂର୍ଣ୍ଣ ଭାବେ ଅରବିନ୍ଦ କେଜ୍ରିୱାଲ୍ଙ୍କ ଦଳରେ ପରିଣତ ହୋଇଥିବା ଅଭିଯୋଗ କରିଛନ୍ତି । ମନୀଷଙ୍କ ଦାବି ଅନୁସାରେ, ସେ CJP ଆନ୍ଦୋଳନ ସହ ଜଡ଼ିତ ଥିଲେ ଏବଂ ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନରେ ମଧ୍ୟ ଭୂମିକା ନେଇଥିଲେ।
ମନୀଷ ବ୍ରହ୍ମଭଟ୍ଟ କହିଛନ୍ତି ଯେ, ଆନ୍ଦୋଳନ ଦେଶର ଆନ୍ଦୋଳନ ଥିଲା ଏବଂ ଲୋକଙ୍କ ଯୋଗୁଁ ଏହା ସଫଳ ହୋଇଥିଲା। କିନ୍ତୁ ଆନ୍ଦୋଳନ ଶେଷ ହେବା ପରେ ସମ୍ପୃକ୍ତ ଲୋକଙ୍କ ମଧ୍ୟରେ ‘ଡିଲ୍’ ହୋଇଯାଇଥିବା ଏବଂ ଏହା ‘ଟିମ୍ କେଜ୍ରିୱାଲ୍’ରେ ପରିଣତ ହୋଇଥିବା ସେ ଅଭିଯୋଗ କରିଛନ୍ତି । ମନୀଷଙ୍କ ଅଭିଯୋଗ ହେଉଛି, ଅଭିଜିତ ଦୀପକେ ୧୨ ଜଣଙ୍କୁ ନେଇ ଏକ ଟିମ୍ ଗଠନ କରିଛନ୍ତି । ତାଙ୍କ ଦାବି ଅନୁସାରେ, ଏଥିରେ କୌଣସି ସ୍ୱେଚ୍ଛାସେବୀ କିମ୍ବା ଆନ୍ଦୋଳନ ସହ ଜଡ଼ିତ ଲୋକଙ୍କୁ ଡକାଯାଇନଥିଲା।
ସେ କହିଛନ୍ତି, ଟିମ୍ରେ ଆମ୍ ଆଦମୀ ପାର୍ଟି ସହ ଜଡ଼ିତ ୮ ଜଣଙ୍କୁ ସାମିଲ କରାଯାଇଛି। ମହିଳା ବନ୍ଧୁମାନଙ୍କୁ ମଧ୍ୟ ଟିମ୍ରେ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି। ମନୀଷଙ୍କ କହିବା ଅନୁସାରେ, ପ୍ରତ୍ୟେକ ରାଜ୍ୟରୁ ୫ ଜଣ ପ୍ରତିନିଧି ରହିବା ଉଚିତ୍ ଥିଲା। କୌଣସି ଜଣେ ବ୍ୟକ୍ତି ‘ରାଜା’ ଭଳି ନିଷ୍ପତ୍ତି ନେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ମନୀଷ ବ୍ରହ୍ମଭଟ୍ଟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପ୍ରସ୍ତାବକୁ ଅଣଦେଖା କରି ମନମାନି ଭାବେ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଗଠନ ପଛରେ ଅରବିନ୍ଦ କେଜ୍ରିୱାଲ୍ଙ୍କ ଭୂମିକା ଥିବା ସେ ଦାବି କରିଛନ୍ତି।
ମନୀଷଙ୍କ ଅଭିଯୋଗ ଅନୁସାରେ, ଅରବିନ୍ଦ କେଜ୍ରିୱାଲ୍ ପାର୍ଟି ଗଠନ ସମୟରେ ଲୋକଙ୍କ ଇଚ୍ଛା ଅନୁସାରେ ପ୍ରାର୍ଥୀ ଚୟନ ଓ ସରକାର ଚଳାଇବା କଥା କହିଥିଲେ । ଏହା ସହ ‘ସ୍ୱରାଜ’ ଆଣିବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। କିନ୍ତୁ ସରକାର ଗଠନ ପରେ ‘ସ୍ୱରାଜ ଆଇନ’କୁ ପାଖରେ ରଖି ଦିଆଯାଇଥିବା ବୋଲି ସେ ଅଭିଯୋଗ କରିଛନ୍ତି। ମନୀଷ ଆହୁରି ଦାବି କରିଛନ୍ତି ଯେ, କେଜ୍ରିୱାଲ୍ ନୂଆ କରି ଗଢ଼ିଉଠିଥିବା ଆନ୍ଦୋଳନକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛନ୍ତି ଏବଂ ଅଭିଜିତ ଦୀପକେଙ୍କ ସହ ‘ଡିଲ୍’ କରିଥିବାରୁ ଆମ୍ ଆଦମୀ ପାର୍ଟି ସହ ଜଡ଼ିତ ଲୋକଙ୍କୁ ଟିମ୍ରେ ସାମିଲ କରାଯାଇଛି।

