ଭୁବନେଶ୍ୱର,୧୩ା୪: ଆଶା ଭୋସ୍ଲେ, ଭାରତୀୟ ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ। ସଂଗୀତ ପ୍ରତି ସମର୍ପିତ ଏହି ଗାୟିକା ଭଜନ, ଗଜଲ, ଶାସ୍ତ୍ରୀୟ ସଙ୍ଗୀତ, ପପ୍ ମ୍ୟୁଜିକ୍ ଆଦିରେ ନିଜର ସ୍ବକୀୟତା ପ୍ରତିପାଦନ କରିଛନ୍ତି। ଦୀର୍ଘ ୮୦ ବର୍ଷରୁ ଊର୍ଦ୍ଧ୍ୱ କାଳ ୨୦ଟି ଭାଷାରେ ୧୨,୦୦୦ରୁ ଊର୍ଦ୍ଧ୍ୱ ଗୀତ ଗାଇ ନିଜ କଣ୍ଠର ଯାଦୁରେ ଶ୍ରୋତାଙ୍କୁ ବାନ୍ଧି ରଖିଥିବା ଏହି ପ୍ରଖ୍ୟାତ ଗାୟିକାଙ୍କ ପରଲୋକ ହୋଇଯାଇଛି ସତ, କିନ୍ତୁ କାଳଜୟୀ ଅନେକ ଗୀତ ତାଙ୍କୁ ସବୁଦିନ ଶ୍ରୋତାଙ୍କ ପାଖରେ ସ୍ମରଣୀୟ କରି ରଖିବ।
୨୦୧୬ ମସିହାର ଶେଷ ଭାଗ। ତା’ ପର ବର୍ଷ ରଥ ଯାତ୍ରାକୁ ଲକ୍ଷ୍ୟ ରଖି ଲତା ମଙ୍ଗେସକର ଗାଇବା ଲାଗି ୭ଟି ଭଜନ ପ୍ରସ୍ତୁତ କରି ସଙ୍ଗୀତ ନିର୍ଦ୍ଦେଶକ ଦେବୀତୋଷ ଆଚାର୍ଯ୍ୟଙ୍କ ସହ ମୁମ୍ବାଇ ଯାଇଥିଲୁ। ସେଠାରେ ଲତାଙ୍କ ପି.ଏ.ଙ୍କୁ ଭେଟି ଏ ବିଷୟରେ ସବିଶେଷ କଥା ହେଲୁ। ମାତ୍ର ତାଙ୍କ ଡାକ୍ତର ଲତା ଗାଇବା ପାଇଁ ଏବେ ସମର୍ଥ ନୁହନ୍ତି ବୋଲି ରୋକ୍ଠୋକ୍ ଜଣାଇ ଦେଲେ। ତେଣୁ ଆମେ ନିରୁପାୟ ହୋଇ ଫେରିବା ପାଇଁ ଚିନ୍ତା କଲୁ। ସେଠାରୁ ବାହାରି ଆସିବା ବେଳକୁ ସେହି ପି.ଏ. କହିଲେ, ‘ଆପଣମାନେ ଆଶା ତାଇଙ୍କ ପାଇଁ ବି ଚେଷ୍ଟା କରିପାରିବେ। ଆମେ ସେଇଠି ପୁଣି ଚିନ୍ତା କଲୁ ଯେ ଲତା ନ ହେଲେ ଆଶା ଗାଇଲେ ବି ଚଳିଯିବ। ତେଣୁ ଆମେ ତାଙ୍କ କଥାରେ ରାଜି ହେବା ପରେ ସେ ଯୋଗାଯୋଗ କରାଇଦେଲେ। ଆମେ ଯାଇ ଆଶା ଭୋସଲେଙ୍କୁ ଭେଟିଲୁ। ତାଙ୍କୁ ଜଗନ୍ନାଥଙ୍କ ମୂର୍ତ୍ତି ଏବଂ ମହାପ୍ରସାଦ ଦେଲୁ। ଏସବୁ ପାଇ ସେ ଅତ୍ୟନ୍ତ ଆନନ୍ଦିତ ହେଲେ। ଏଥିସହ ଜଗନ୍ନାଥଙ୍କ ଭଜନ ଗାଇବା ପାଇଁ ସମ୍ମତି ପ୍ରଦାନ କରି କମ୍ପୋଜିଶନ କରି ପଠାଇବାକୁ କହିଲେ। ସେଇଠୁ ଆମେ ଭୁବନେଶ୍ୱର ଫେରି ଆସିଲୁ ଏବଂ କମ୍ପୋଜିଶନ ପ୍ରସ୍ତୁତ କରି ପୁଣି ମୁମ୍ବାଇ ଗଲୁ। ସେଠାରେ ଆଶା ଆମ କମ୍ପୋଜିଶନ ଶୁଣିବା ପରେ ଖୁସି ହେଲେ ଏବଂ ଭଜନ ଗାଇବାକୁ ହଁ ଭରିଲେ। ସେଠାରେ ମୁଁ ତାଙ୍କୁ କେତୋଟି ଶବ୍ଦର ଅର୍ଥ ବୁଝାଇଲି। କିନ୍ତୁ ତାଙ୍କର ‘ଳ’ ଅକ୍ଷରଟି ଉଚ୍ଚାରଣରେ ଅସୁବିଧା ହେବାରୁ ‘କାଳିଆ’ ଶବ୍ଦକୁ ବଦଳାଇ ‘ମଣିମା’ କରାଗଲା। ସେ ଗାଇଥିବା ଗୀତଟି ଥିଲା ‘ତୁମେ ଏକା ସାଆନ୍ତ ବୋଲି…ଦୁଃଖ ମୁଁ ଯାଇଛି ଭୁଲି …ମଣିମା..’। ସେ ଗାଇବା ପରେ ସେଠାରେ ଉପସ୍ଥିତ ଥିବା ସଙ୍ଗୀତ ନିର୍ଦ୍ଦେଶକଙ୍କ ସମେତ ସମସ୍ତେ ଖୁସି ହୋଇଗଲୁ। ଗୀତଟି ଶୁଣିବା ପରେ ଆମେ ଲତା ଏବଂ ଆଶାଙ୍କ ସ୍ବରରେ କିଛି ଫରକ ଜାଣିପାରି ନ ଥିଲୁ। ଏବେବି ସେ କଥା ମୋ ସ୍ମୃତିରେ ସଜଳ ହୋଇ ରହିଛି।