କେନ୍ଦ୍ରାପଡ଼ା,୨ା୬ (ଜଗନ୍ନାଥ ଧଳ): ୧୯୯୯ ମହାବାତ୍ୟାକୁ ଇତିମଧ୍ୟରେ ୨୫ ବର୍ଷ ବିତିଛି। ପ୍ରତିବର୍ଷ ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା କେନ୍ଦ୍ରାପଡ଼ା ଜିଲାବାସୀ ଏହି ମହାବାତ୍ୟାରେ ଧନଜୀବନ ହରାଇଛନ୍ତି। ଏହା ସତ୍ତ୍ୱେ ଏପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ପ୍ରଶାସକ ଅଥବା ରାଜନେତା ସଚେତନ ହୋଇନାହାନ୍ତି। ସାମୁଦ୍ରିକ ଝଡ଼ ପୂର୍ବରୁ ଉପାନ୍ତ ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର ଓ ରିଲିଫ ବଣ୍ଟନରେ ସୀମିତ ରଖାଯାଉଥିବାବେଳେ ସାମାନ୍ୟ ବନ୍ୟା ପରିସ୍ଥିତିରେ ଜିଲାର ୫୫ ଗ୍ରାମ ଜଳବନ୍ଦୀ ହେଉଛି। ବନ୍ୟା ବିପତ୍ତିରୁ ଉଦ୍ଧାର ପାଇଁ ବନ୍ଧବାଡ଼ର ନିର୍ମାଣ, ବାତ୍ୟା ଓ ସୁନାମୀ ସମୟରେ ସୁରକ୍ଷା ପ୍ରାଚୀର ଭାବେ ଠିଆ ହେଉଥିବା ହେନ୍ତାଳ ବଣ ପ୍ରତି ନିଘା ନାହିଁ। ସାମୁଦ୍ରିକ ଝଡ଼ ୟାସ ଓ ଦାନା ସମୟରେ ମିଳିଥିବା ସରକାରୀ ତଥ୍ୟ ଜିଲା ବିକାଶର କଟୁ ସତ୍ୟକୁ ପଦାକୁ ଆଣିଛି ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି। ୨୦୨୧ ମସିହାର ସାମୁଦ୍ରିକ ଝଡ଼ ୟାସ ଓ ୨୦୨୪ର ଦାନାରେ କେନ୍ଦ୍ରାପଡ଼ା ଜିଲା ପ୍ରଭାବିତ ହୋଇଥିଲା। ତେବେ ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପ୍ରାୟ ୧୦୦ରୁ ୧୨୦ କିଲୋମିଟର ପବନ ଘଣ୍ଟା ପ୍ରତି ହୋଇଥିବା ଯୋଗୁ ଜିଲାର ବିଶେଷ କ୍ଷତି ହୋଇନାହିଁ। ଏହି ସାମୁଦ୍ରିକ ଝଡ଼ର ବେଗ ଆକଳନ ଅନୁଯାୟୀ ୧୮୫ କିଲୋମଟିରକୁ ବୃଦ୍ଧି ପାଇଥିଲେ ବହୁ ମୃତାହତ ହେବା ସହ ତଟରକ୍ଷା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥାନ୍ତା। ଅପରପକ୍ଷରେ ସୁରକ୍ଷା ଦୃଷ୍ଟିରୁ ଜିଲାର ଲକ୍ଷାଧିକ ଲୋକଙ୍କୁ ଆଶ୍ରୟସ୍ଥଳକୁ ନିଆଯାଇଥିଲା। ଶୁଖିଲା ଓ ରନ୍ଧ୍ୟା ଖାଦ୍ୟ ପ୍ରଦାନ, ପାନୀୟ ଜଳ ବ୍ୟବସ୍ଥା, ମହାମାରୀ ପାଇଁ ମାସ୍କ ବଣ୍ଟନଠାରୁ ଆରମ୍ଭ କରି ବହୁ ଉଦ୍ଧାରକାରୀ ଦଳ ନିୟୋଜିତ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ନେତୃତ୍ୱରେ ପରିଚାଳନା କରାଯାଇଥିଲା।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରାଧାକାନ୍ତ ମହାନ୍ତି, ମନୋଜ କୁମାର ନାୟକ, ଚିତ୍ତରଞ୍ଜନ ସାହୁ, ପରିବେଶବିତ ହେମନ୍ତ କୁମାର ରାଉତ ପ୍ରମୁଖ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟର ଭୟାବହତା ପ୍ରତି ପ୍ରଶାସକ ଅଥବା ରାଜନେତା ସଚେତନ ନାହାନ୍ତି। ବନ୍ୟା, ବାତ୍ୟା ସମୟରେ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଓ ରିଲିଫ ବଣ୍ଟନରେ ସେମାନଙ୍କ କାର୍ଯ୍ୟ ସୀମିତ ରହିଛି। ୧୯୯୯ ମସିହାରେ ଏହି ଜିଲାରେ ୩୯୭ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ ପ୍ରକାଶ ପାଇଥିବାବେଳେ ବାସ୍ତବରେ ହଜାରେରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଜିଲାବାସୀ ପ୍ରତିବର୍ଷ ଜୀବିକା ହରାଉଛନ୍ତି। ୟାସ ଓ ଦାନା ସାମୁଦ୍ରିକ ଝଡ଼ବର୍ଷାରେ ପଟ୍ଟାମୁଣ୍ଡାଇ ବ୍ଲକର ଧୋୟା ଅଞ୍ଚଳକୁ ଦୁଇଦିନ ଧରି ଜଳବନ୍ଦୀ କରିଥିବାବେଳେ ରାଜନଗର ଓ ମହାକାଳପଡ଼ା ଅଞ୍ଚଳର ବହୁ ଗ୍ରାମକୁ ନଦୀନାଳ ପାଣି ପଶି ଯାଇଥିଲା। ଜିଲାର ତଳମୁଣ୍ଡରେ ଥିବା ୫୫ ଗ୍ରାମ ନିକଟରେ ନଦୀବନ୍ଧ ନ ଥିବାରୁ ବନ୍ୟା ସମସ୍ୟା ଅଛି। ସେହିପରି ସମୁଦ୍ରର ଅଶାନ୍ତ ଜୁଆରକୁ ହେନ୍ତାଳ ବଣ ପ୍ରତିହତ କରିପାରିବ। ତଟାଞ୍ଚଳରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ସହ ସ୍ଥାନୀୟ ଲୋକଙ୍କ ଅନ୍ୟତ୍ର ଥଇଥାନ ଆବଶ୍ୟକ। ଏହି ୧୦ କିଲୋମିଟର ଅଞ୍ଚଳରେ ହେନ୍ତାଳବଣ ସୃଷ୍ଟି ହୋଇପାରିଲେ ପ୍ରାକୃତିକ ବିପର୍ଯ୍ୟୟରୁ ସାମୟିକ ନିସ୍ତାର ମିଳିବ। ଏ ସମ୍ପର୍କରେ ଏଡିଏମ୍ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ପଚାରିବାରେ ଉପାନ୍ତ ଅଞ୍ଚଳରେ ନଦୀବନ୍ଧ ଓ ଜାତୀୟ ଉଦ୍ୟାନ ମଧ୍ୟରେ ଅଧିକ ହେନ୍ତାଳ ବଣ ସୃଷ୍ଟି ଯୋଜନାକୁ ଗୁରୁତ୍ୱ ଦିଆଯାଇଛି। ଚିଙ୍ଗୁଡି ଘେରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି।