ମହିଳାଙ୍କ ସହ ଏକୁଟିଆ ଦେଖିବା ପରେ ଜୋତାମାଳ ପିନ୍ଧାଇ ମାରିଥିଲେ ନିର୍ଧୁମ ମାଡ଼, Video  ଭାଇରାଲ ପରେ…

ଆନନ୍ଦପୁର,୨୪।୧୦(ସୁଶାନ୍ତ କୁମାର ସାହୁ): ପରକ୍ରିୟା ପ୍ରୀତି ସନ୍ଦେହରେ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ମହଙ୍ଗା ପଡିଲା। ଭିଡିଓ ଭାଇରାଲ ପରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆନନ୍ଦପୁର ପୋଲିସ। ଏଭଳି ଘଟଣା ଘଟିଛି ଆନନ୍ଦପୁର ଥାନା ଷଡ଼ଙ୍ଗୀ ଗ୍ରାମରେ।

ସୂଚନାନୁଯାୟୀ, ଗ୍ରାମର ଶିଶିର ଶଙ୍ଖୁଆଳ ବିଲରୁ ଧାନ କାଟି ଫେରିବା ବେଳେ ଜଣେ ମହିଳା ନିକଟକୁ  ରସି(ହାଣ୍ଡିଆ) ପିଇବା ପାଇଁ ଯାଇଥିଲେ। ଏହି ସମୟରେ ଗ୍ରାମର କିଛି ଯୁବକ ମହିଳାଙ୍କ ନିକଟରେ ଏକୁଟିଆ ଶିଶିରଙ୍କୁ ଦେଖି ସଂପୃକ୍ତ ମହିଳା ସହ ଖରାପ ସମ୍ପର୍କ ଅଛି କହି କବାଟ ବନ୍ଦ କରିଦେଇଥିଲେ। ପରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କୁ ଜଣାଇ ଉଭୟଙ୍କୁ ନିର୍ଧୁମ ମାଡ଼ ମାରିବା ସହ ଲଙ୍କା ଗୁଣ୍ଡ ଏବଂ ପାଣି ଢ଼ାଳି ଥିଲେ । ପରେ ଉଭୟଙ୍କୁ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇ ଥିବା ନେଇ ଅଭିଯୋଗ ହୋଇଛି।  ଏହି ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ସମୟର ଭିଡିଓ ଭାଇରାଲ ହେଉଛି। ଏନେଇ ଆନନ୍ଦପୁର ଥାନାରେ ସମ୍ପୃକ୍ତ ମହିଳା ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ୧୮୬/୨୫ ରେ ଏକ ମାମଲା ରୁଜୁ କରି ଷଡ଼ଙ୍ଗୀ ଗ୍ରାମର ମିନତୀ ହୋ (୨୫), ଲମ୍ବୋଧର ହୋ (୩୫), ବାଣୀ ପୂର୍ତ୍ତି (୨୦), ଦଣ୍ଡାରୀ ହୋ (୨୩)କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଫନୀନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily