ଭୁବନେଶ୍ବର, ୨୫ା୧: ପ୍ରେମ ଓ ସଂଘର୍ଷର ଏକ ହୃଦୟସ୍ପର୍ଶୀ ଚିତ୍ର ଓଡ଼ିଶାରେ ଦେଖିବାକୁ ମିଳିଛି। ବିହାରର “ମାଉଣ୍ଟେନ୍ ମ୍ୟାନ୍” ଦଶରଥ ମାଝୀଙ୍କ ପରି ଜଣେ ୭୫ ବର୍ଷୀୟ ବୃଦ୍ଧ ନିଜ ପକ୍ଷାଘାତ ପୀଡ଼ିତ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ରିକ୍ସାରେ ୩୦୦ କିଲୋମିଟର ପେଡାଲ୍ ମାରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
ସମ୍ବଲପୁର ମୋଦିପଡ଼ାର ବାବୁ ଲୋହାରଙ୍କ ୭୦ ବର୍ଷୀୟା ସ୍ତ୍ରୀ ଜ୍ୟୋତି ପକ୍ଷାଘାତର ଶିକାର ହୋଇଥିଲେ। ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ଆମ୍ବୁଲାନ୍ସ ପାଇଁ ଅର୍ଥ ଅଭାବରୁ ବାବୁ ନିଜ ରିକ୍ସାକୁ ହିଁ ‘ଆମ୍ବୁଲାନ୍ସ’ରେ ପରିଣତ କରିଥିଲେ। ସ୍ତ୍ରୀଙ୍କ ଆରାମ ପାଇଁ ରିକ୍ସାରେ ପୁରୁଣା ଗଦି ପକାଇ ସେ ସମ୍ବଲପୁରରୁ କଟକ ଯାତ୍ରା ଆରମ୍ଭ କରିଥିଲେ।
ଦୀର୍ଘ ୯ ଦିନ ଧରି ଖରା, କଷ୍ଟ ସହି ସେ କଟକରେ ପହଞ୍ଚିଥିଲେ। ସେଠାରେ ଦୁଇ ମାସର ଚିକିତ୍ସା ପରେ ସେମାନେ ଜାନୁଆରୀ ୧୯ରେ ଫେରିବା ଆରମ୍ଭ କରିଥିଲେ।
ତେବେ ସଉଠ ଫେରିବା ବାଟରେ ଚୌଦ୍ୱାର ନିକଟରେ ଏକ ଗାଡ଼ି ତାଙ୍କ ରିକ୍ସାକୁ ଧକ୍କା ଦେଇଥିଲା। ଫଳରେ ଉଭୟ ଆହତ ହୋଇଥିଲେ। ସେଠାରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିକାଶ ସେମାନଙ୍କ ଚିକିତ୍ସା କରିବା ସହ ବୃଦ୍ଧ ଦମ୍ପତିଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି।
“ଆମର କେହି ନାହାନ୍ତି, ଆମେ ହିଁ ପରସ୍ପରର ସାହାରା,” ବୋଲି ବାବୁ କୋହଭରା କଣ୍ଠରେ କହିଛନ୍ତି। ବୃଦ୍ଧାବସ୍ଥାରେ ଏଭଳି ନିଷ୍ଠା ଓ ସମର୍ପଣ ଭାବ ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଭୂୟସୀ ପ୍ରଶଂସା କରୁଛନ୍ତି।