ଭୁବନେଶ୍ୱର,୫।୫: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ଏବଂ ‘ଦାରୁ କାଠ’ ମୂର୍ତ୍ତିରେ ବ୍ୟବହାର କରାଯିବା ପ୍ରସଙ୍ଗକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୋମବାର ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇଛନ୍ତି। ଜଗନ୍ନାଥଙ୍କୁ ନେଇ ରାଜନୀତି କରି ପାଣ୍ଡିଆନ ବୁଦ୍ଧିରେ ନବୀନ ସରକାର ଧ୍ୱଂସ ହୋଇଗଲା। ମମତା ସରକାର ବି ସେମିତିି ଧ୍ୱଂସ ହେଇଯିବ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ କହିଛନ୍ତି। ପ୍ରିୟଦର୍ଶନ ବୟାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଯୋଗ୍ୟ, ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସ୍ବାଗତ କରିଛନ୍ତି। ବଳକା ନବକଳେବର ଦାରୁ ବ୍ୟବହାର ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ ବୋଲି ଶୁଭେନ୍ଦୁ ଗଣମାଧ୍ୟମକୁ କହିଛନ୍ତି।
ପଶ୍ଚିମବଙ୍ଗ ସରକାର ନିମ୍ନସ୍ତରକୁ ଖସି ଯାଇଛନ୍ତି। ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର ଭାବେ ଉପସ୍ଥାପନ କରି ଭକ୍ତଙ୍କୁ ଭ୍ରମିତ କରିବାକୁ ପଶ୍ଚିମବଙ୍ଗ ସରକାର ଏପରି କରିଛନ୍ତି। ଏପରିକି ପଶ୍ଚିମବଙ୍ଗ ସରକାରଙ୍କ ଦୋମୁହାଁ ନୀତିର ପର୍ଦ୍ଦାଫାଶ ହେବା ଉଚିତ ବୋଲି ଶୁଭେନ୍ଦୁ ଦାବି କରିଛନ୍ତି।
ଭାରତ ଏବଂ ବିଶ୍ବରେ ଜଗନ୍ନାଥଙ୍କ ମନ୍ଦିର ରହିଛି, ସେଗୁଡ଼ିକ ଧାମ ନୁହନ୍ତି। ଏକ ନୂଆ ଢାଞ୍ଚା ନିର୍ମାଣ କରି ଏହାକୁ ଧାମ ଭାବେ ନାମିତ କରାଯାଇପାରିବ ନାହିଁ। ରାମକୃଷ୍ଣ ଦାସମହାପାତ୍ରଙ୍କ ଭୂମିକା ଉପରେ ବିଚାର ଆବଶ୍ୟକ। ତାଙ୍କ କାର୍ଯ୍ୟ ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ ଆଣିଛି। ପଦବୀର ଅପବ୍ୟବହାର କରି ଭକ୍ତଙ୍କ ବିଶ୍ବାସକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ଶୁଭେନ୍ଦୁ କହିଛନ୍ତି।


