ନୂଆବର୍ଷରେ ନିଅନ୍ତୁ ନୂଆ ସଂକଳ୍ପ

ପ୍ରତିଥର ନୂଆବର୍ଷ ଆସିଲେ ଅନେକେ କିଛି ନୂଆ କାର୍ଯ୍ୟ କରିବାର ସଂକଳ୍ପ ନେଇଥାନ୍ତି। କିଏ ନିଜକୁ ଫିଟ୍‌ ରଖିବାକୁ ପ୍ରତିଦିନ ବ୍ୟାୟାମ କରିବାକୁ ସଂକଳ୍ପ ନିଅନ୍ତି ତ ଆଉ କିଏ ଅଯଥାରେ ସମୟ ନଷ୍ଟ ନ କରି ପଢ଼ାପଢ଼ିରେ ମନ ଦେବାକୁ ଚିନ୍ତା କରିଥାନ୍ତି। ସେହିପରି ଆଉ କେହି କେହି ଜଙ୍କ୍‌ଫୁଡ୍‌ ଛାଡ଼ି ସନ୍ତୁଳିତ ଖାଦ୍ୟ ଖାଇବାକୁ ନିଷ୍ପତ୍ତି ନେଇଥାନ୍ତି। ଏମିତି ଗୋଟି ଗୋଟି କରି ଦେଖିଲେ ନୂଆବର୍ଷରେ ସଂକଳ୍ପ ନେବାର ତାଲିକା ବହୁ ଲମ୍ବା ହୋଇଯିବ। କିନ୍ତୁ ଏଠାରେ ଗୋଟେ ପ୍ରଶ୍ନ ଉଠୁଛି ଯେ, ନୂଆବର୍ଷରେ ନୂଆ ସଂକଳ୍ପ ନେଇଥିବା ବ୍ୟକ୍ତିମାନେ ବର୍ଷ ସାରା ସେହି କଥା ମାନି ଚଳୁଛନ୍ତି ନା ନାହିଁ। ମନୋବିଜ୍ଞାନୀଙ୍କ ମତରେ, ନୂଆବର୍ଷକୁ ସୁଖମୟ କରିବା ପାଇଁ କୌଣସି ସଂକଳ୍ପ ନୁହେଁ ବରଂ ନିଜର ସ୍ବଭାବ ଉପରେ ଟିକେ ନଜର ଦେବା ଜରୁରୀ। ଯେମିତିକି: ଈଶ୍ୱରବିଶ୍ୱାସୀ ହେବା, ମନରେ ଗର୍ବ-ଅହଂକାର-ହିଂସା ନ ରଖି ଉଦାରଭାବ ରଖିବା, ନିଜକୁ ଭଲପାଇବା ସହ ଅନ୍ୟଙ୍କୁ ବି ଭଲପାଇବା ଦେବା, ମୁହଁରେ ସର୍ବଦା ହସହସ ଭାବ ରଖିବା, ନିଜର ଓ ଅନ୍ୟମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହେବା, ମନରେ ସବୁବେଳେ କିଛି ନୂଆ ଶିଖିବାର ଆଗ୍ରହ ରଖିବା, ସୁଶିକ୍ଷା ଦେଉଥିବା ବହି ପଢ଼ିବାର ଅଭ୍ୟାସ ଜାରି ରଖିବା, ତା’ସହ ବୁଝିବିଚାରି ସବୁକଥାର ନିଷ୍ପତ୍ତି ନେବା ଇତ୍ୟାଦି। ଏହିସବୁ ଅଭ୍ୟାସକୁ ଯଦି ଜଣେ ବ୍ୟକ୍ତି କେବଳ ନୂଆବର୍ଷ ପାଇଁ ନୁହେଁ ଜୀବନସାରା ମାନନ୍ତି, ତା’ହେଲେ ଜୀବନ ସୁଖମୟ ହେବ।