ମହାଆଡ଼ମ୍ବରରେ କୁଶୁର୍ଲାରେ ଆରମ୍ଭ ହେଲା ମକର ମେଳା, ମକର ଚାଉଳ ପାଇ…

କର୍ଲାମୁଣ୍ଡା,୧୪।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ କୁଶୁର୍ଲା ଗ୍ରାମ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠରେ କର୍ଲାମୁଣ୍ଡା, ନର୍ଲା, କେସିଙ୍ଗା, ମ.ରାମପୁର ଆଦି ବ୍ଲକ ଅଞ୍ଚଳର ୪୪ ଖଣ୍ଡ ଗ୍ରାମକୁ ନେଇ ଗଠିତ ହୋଇଥିବା ମିଳିତ ମକରମେଳା ସୋମବାର ଠାରୁ ଆରମ୍ଭ ହୋଇଯାଇଛି । ବୁଧବାର ପ୍ରଭୁ ହରଗୌରୀଙ୍କ ନିତ୍ୟ ପୂଜାର୍ଚ୍ଚନା ସହିତ ମକର ସଂକ୍ରାନ୍ତି ହୋମ ସହ ମକରମେଳା ଚାଉଳ ଭୋଗ ଲାଗିଥିଲା । ଉପସ୍ଥିତ ଭକ୍ତମାନେ ଏହି ମକର ଚାଉଳ ପ୍ରସାଦକୁ ପାଇ ଉତ୍ସାହିତ ହୋଇଥିଲେ ।

ଅପରାହ୍ନରେ ହରଗୌରୀଙ୍କୁ ରଥାରୁଢ କରି ନଗର ପରିକ୍ରମା ସହ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ମହୋତ୍ସବ କମିଟିର ତତ୍ଵାବଧାନରେ ଆୟୋଜିତ ହୋଇଥିବା ୭୬ ତମ ମକରମେଳା ମହୋତ୍ସବ ପାଇଁ ଭକ୍ତମୟ ହୋଇ ପଡିଛି ଏହି ଶୈବପୀଠ । ଏହା ଆସନ୍ତା ୧୮ ତାରିଖ ଚଣ୍ଡିପୁଜା ସହ ବୋଦାବଳୀ ଦେଇ କାର୍ଯ୍ୟକ୍ରମ ଶେଷ ହେବବୋଲି ଜଣାପଡିଛି ।

କାର୍ଯ୍ୟକ୍ରମରେ କମିଟିର ସଭାପତି ଜଗତରାମ ଭୋଇ, ସଂପାଦକ ସୁଶାନ୍ତ ଜାନୀ ,ଉପ ସଭାପତି ହିରାମଣି ସାହୁ, ଯୁଗ୍ମ ସମ୍ପାଦକ ଦୟା ବାଗ, କୋଷାଧ୍ୟକ୍ଷ ଲଷ୍ମୀ ପ୍ରସାଦ ସାହୁଙ୍କ ସହ ଅନ୍ୟାନ୍ୟ ନେତୃବୃନ୍ଦ ରହିଥିବା ବେଳେ ପୂଜକ ଭାବେ ନେତ୍ରାନନ୍ଦ ବଡମାଳି ରହିଛନ୍ତି । ଏହି ମହୋତ୍ସବ ପାଇଁ ଅଞ୍ଚଳ, ଜିଲା,ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସହସ୍ରାଧିକ ବ୍ୟବସାୟୀମାନେ ଦୋକାନ ଲଗାଇଥିବା ଦେଖାଯାଇଛି । ଏହି ମହୋତ୍ସବରେ ଅଞ୍ଚଳର ଲକ୍ଷାଧିକ ଜନସମାଗମ ହେବାର ଅଶଙ୍କା ରଖାଯାଇଛି । ତେବେ ପ୍ରତ୍ୟେକ ରାତିରେ ସଂସ୍କୃତିକ କାର୍ଯ୍ୟକ୍ରମ କମିଟି ପକ୍ଷରୁ ଆୟୋଜନ କରିଥିବା ଜଣାପଡ଼ିଛି ।

 

Dharitri – Odisha’s No.1 Odia Daily