Posted inଫୁରସତ

ବୁଲି ଯାଆନ୍ତୁ ମାଜୁଲି

ବ୍ରହ୍ମପୁତ୍ର ନଦୀ ଦ୍ୱାରା ସୃଷ୍ଟି ହୋଇଥିବା ଏକ ଦ୍ୱୀପର ନାଁ ମାଜୁଲି। ଏହା ଆସାମରେ ଅବସ୍ଥିତ। ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଏଠାକାର ସଂସ୍କୃତି ଓ ପରମ୍ପରା ବେଶ୍‌ ମନଛୁଆଁ ହୋଇଥାଏ। ନୌକାବିହାର ସାଙ୍ଗକୁ ବିଭିନ୍ନ ପ୍ରକାର ପକ୍ଷୀଙ୍କୁ ଦେଖିବାର ସୁଯୋଗ ବି ଏଠାରେ ମିଳିଥାଏ। ତା’ଛଡ଼ା ଭିନ୍ନ ଭିନ୍ନ କିସମର ପ୍ରାୟ ଶହେ ପ୍ରକାର ଧାନ ଏଠି ଚାଷ କରାଯାଉଥିବାର ସୂଚନା ମଧ୍ୟ ରହିଛି। ଖାସ୍‌ ଏହିସବୁ କାରଣ ପାଇଁ ପ୍ରାୟତଃ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ…

ଆସାମର ଜୋର୍‌ହାଟ ସହରଠାରୁ ପ୍ରାୟ ୨୦କି.ମି. ଦୂରରେ ରହିଛି ମାଜୁଲି ନାମକ ପର୍ଯ୍ୟଟନସ୍ଥଳୀ। ପ୍ରକୃତପକ୍ଷେ ଏହା ବ୍ରହ୍ମପୁତ୍ର ନଦୀ ଦ୍ୱାରା ସୃଷ୍ଟି ହୋଇଥିବା ଏକ ବଡ଼ ଆକାରର ଦ୍ୱୀପ। ସେଥିପାଇଁ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍‌ ମନୋରମ । କେବଳ ସେତିକି ନୁହେଁ , ଏହା ଏକ ସାଂସ୍କୃତିକ କ୍ଷେତ୍ର ଭାବେ ଜଣାଯାଇଥାଏ। ବର୍ଷ ସାରା ଏଠାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଥାଏ। ପ୍ରତିବର୍ଷ ନଭେମ୍ବର ମାସରେ ଏଠାରେ ଏକ ସ୍ବତନ୍ତ୍ର ରାସ ଉତ୍ସବର ଆୟୋଜନ କରାଯାଇଥାଏ; ଯାହା ଖୁବ୍‌ ଲୋକପ୍ରିୟ । ଏଥିତ୍ସହିତ ମାଜୁଲିରେ ଦେଖିବା ପାଇଁ ଅନେକ ମନୋରମ ପର୍ଯ୍ୟଟନସ୍ଥଳୀ ବି ରହିଛି। ଏଗୁଡ଼ିକ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।

କ’ଣ ଦେଖିବେ
ମାଜୁଲି ଏକ ଦ୍ୱୀପ ହେଲେ ବି ଏହା ମଧ୍ୟରେ ଦେଖିବା ପାଇଁ ଅନେକ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ ରହିଛି, ଯେମିତିକି:

* କମଲାବାଡ଼ି ସାତରା: ଏହା ହେଉଛି ଏକ ଧାର୍ମିକ ସ୍ଥଳ; ଯେଉଁଠିକାର କଳା, ସଂସ୍କୃତି, ସାହିତ୍ୟ ଓ ଶାସ୍ତ୍ରୀୟ ଅଧ୍ୟୟନ ବେଶ୍‌ ମନଛୁଆଁ ହୋଇଥାଏ। ତା’ଛଡ଼ା ଏଠାରେ ଅନେକ ସମୟରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ବି କରାଯାଇଥାଏ, ଯେଉଁଥିରେ ଭାଗନେବା ପାଇଁ ଦେଶର ବହୁ ସ୍ଥାନରୁ କଳା ପ୍ରଦର୍ଶନକାରୀମାନେ ଆସୁଥୁବାବେଳେ ବିଭିନ୍ନ ଜାଗାରୁ ଦର୍ଶକ ମଧ୍ୟ ଆସିଥାନ୍ତି।
* ଦକ୍ଷିଣପାଟ ସାତରା: ଏହା ମାଜୁଲିସ୍ଥିତ ଏକ ଐତିହାସିକ ପର୍ଯ୍ୟଟନସ୍ଥଳୀ। ଏଠାକାର ଏକ ପ୍ରମୁଖ ଉତ୍ସବ ହେଉଛି ରାସ ମହୋତ୍ସବ, ଯାହାକୁ ସ୍ଥାନୀୟ ଲୋକେ ବେଶ୍‌ ଧୁମଧାମରେ ପାଳନ କରିଥାନ୍ତି।
* ଗରମୁର ସାତରା: ଏହା ମଧ୍ୟ ହେଉଛି ସ୍ଥାନୀୟ ଏକ ପବିତ୍ର ସ୍ଥଳୀ। ଏଠାରେ ବହୁ ପ୍ରାଚୀନ ଲେଖା ଓ କଳାକୃତିକୁ ଦେଖିବାର ସୁଯୋଗ ମିଳିଥାଏ।
* ଔନିଆତି ସାତରା: ଏଠାରେ ବିଭିନ୍ନ ପ୍ରକାର ପାରମ୍ପରିକ ଲୋକକଳା ଓ ଲୋକନୃତ୍ୟ ଦେଖିବାର ସୁଯୋଗ ମିଳିଥାଏ।
* ତେଙ୍ଗପାନିୟା: ଏହା ହେଉଛି ବ୍ରହ୍ମପୁତ୍ର ନଦୀତଟରେ ଅବସ୍ଥିତ ଅନ୍ୟ ଏକ ଆକର୍ଷଣୀୟ ପିକ୍‌ନିକ୍‌ ସ୍ପଟ୍‌। ଏଠାରେ ଆକର୍ଷଣୀୟ ବାସ୍ତୁକଳାରେ ନିର୍ମିତ ଏକ ଭବ୍ୟମନ୍ଦିର ଥିବାର ଦେଖିବାକୁ ମିଳିଥାଏ। ତା’ଛଡ଼ା ନଦୀତଟରେ ଅବସ୍ଥିତ ଥିବାରୁ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବି ବେଶ୍‌ ମନୋରମ ଲାଗିଥାଏ।

ଅନ୍ୟାନ୍ୟ ଆକର୍ଷଣ
ଏଠାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲି ଦେଖିବା ସହ ପର୍ଯ୍ୟଟକ ଚାହିଁଲେ ନୌକା ବିହାରର ମଜା ବି ଏଠି ନେଇପାରିବେ। ତା’ଛଡ଼ା ନଦୀ ଅବବାହିକାରେ ଏହି ସ୍ଥାନଟି ଥିବାରୁ ପ୍ରାୟତଃ ଏଠାରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଦେଖିବାର ସୁଯୋଗ ମିଳିଥାଏ। ଖାସ୍‌କରି ଶୀତଦିନେ ଏଠାରେ ବହୁ ସଂଖ୍ୟକ ପକ୍ଷୀଙ୍କୁ ଦେଖିହୁଏ। ଏସବୁ ବ୍ୟତୀତ ମାଜୁଲିରେ କୁଆଡ଼େ ପ୍ରାୟ ଶହେ କିସମର ଧାନ ଚାଷ କରାଯାଉଥିବାର ସୂଚନା ରହିଛି। ପର୍ଯ୍ୟଟକ ବି ଏ ସମ୍ପର୍କରେ ଅନେକ ତଥ୍ୟ ଏଠାରୁ ପାଇପାରିବେ। କେବଳ ସେତିକି ନୁହେଁ, ମାଟି, ପଥର ଓ ପିତଳରେ ତିଆରି ଅନେକ ସୁନ୍ଦର ସୁନ୍ଦର ଘରକରଣା ଜିନିଷ ତିଆରି କରିବାରେ ବି ସ୍ଥାନୀୟ ଲୋକେ ବେଶ୍‌ ମାହିର ହୋଇଥାନ୍ତି।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲିଯିବାର ସୁବିଧା ଥିଲେ ହେଁ, ଖାସ୍‌କରି ଶୀତଦିନେ ଏଠାକୁ ଯିବା ପାଇଁ ସବୁଠୁ ଉପଯୁକ୍ତ ହୋଇଥାଏ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଏହା ଯେହେତୁ ଏକ ଦ୍ୱୀପ, ତେଣୁ ଏଠାକୁ କେବଳ ନୌକା ହେଉ କିମ୍ବା ବୋଟ୍‌ ଦ୍ୱାରା ଯାଇହେବ। ତେବେ ଦେଶର ବିଭିନ୍ନ ସ୍ଥାନରୁ ଟ୍ରେନ୍‌ ହେଉ କିମ୍ବା ବସ୍‌ ଅଥବା ଫ୍ଲାଇଟ୍‌ ଯୋଗେ ପ୍ରଥମେ ଜୋର୍‌ହାଟରେ ପହଞ୍ଚତ୍ ସେଠାରୁ ନୌକା ଯୋଗେ ମାଜୁଲିକୁ କିପରି ଯାଇହେବ ସେ ନେଇ ପର୍ଯ୍ୟଟକଙ୍କୁ ବ୍ୟବସ୍ଥା କରିବାକୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?