କଳିଙ୍ଗା ଘାଟିରେ ବଡ଼ ଧରଣର ଭୂସ୍ଖଳନ: ଫୁଲବାଣୀ-ଭଞ୍ଜନଗର ମୁଖ୍ୟ ରାସ୍ତାରେ ଯାତାୟତ ଠପ୍‌

ଦାରିଙ୍ଗବାଡି ୧୬।୯(ଅରୁଣ ସାହୁ ) କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ମଙ୍ଗଳବାର ଏକ ବଡ଼ ଅଘଟଣ ଭୂସ୍ଖଳନ ଘଟିଛି। ଜିଲାରେ ଲଗାଣ ବର୍ଷାରେ ଭୂସ୍ଖଳନ ହେବା ସହ ଗୋଟିଏ ପୋଲ ଧୋଇ ହୋଇଯାଇଥିବା ସୂଚନା ମିଳିଛି।

ଫଳରେ ଫୁଲବାଣୀ, ଦାରିଙ୍ଗବାଡି, ବାଲିଗୁଡା, ଜି. ଉଦୟଗିରି, ରାଇକିଆ ରୁ ବ୍ରହ୍ମପୁର, ଭଂଜନଗର, ବ୍ରହ୍ମପୁର, ଭୁବନେଶ୍ୱର ଆଦିକୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏପରିକି ଘାଟିରେ ଶହଶହ ଗାଡି ଅଟକି ରହିଛି।

ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ପାହାଡ଼ରେ ଭୂସ୍ଖଳନ ହେବା ସହ ବଡ଼ ବଡ଼ ପଥର ଖସିଆସି ରାସ୍ତା ଉପରେ ପଡିଛି। ଫଳରେ ଘାଟି ରାସ୍ତାର ବ୍ୟାପକ କ୍ଷୟକ୍ଷତି ହୋଇଛି। ପାହାଡରୁ ଭୂସ୍ଖଳନ ଯୋଗୁ ଏକ ପୋଲ ସମ୍ପୂର୍ଣ ଭୁଶୁଡି ପଡିଛି। ଖବର ଲେଖିବା ସୁଦ୍ଧା ସମ୍ପୃକ୍ତ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ଖବର ପାଇ ଗଞ୍ଜାମ ଓ କନ୍ଧମାଳ ଜିଲାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି। ସୂଚନା ଯୋଗ୍ୟ, ଚଳିତ ବର୍ଷ ବାରମ୍ବାର ଲଘୁଚାପ ଜନିତ ବର୍ଷାରେ ଉକ୍ତ ଘାଟି ରାସ୍ତା ବିପଦପୂର୍ଣ୍ଣ ହୋଇପଡିଛି। ଗତ କିଛି ଦିନ ତଳେ ଘାଟିରୁ ଏକ ବିରାଟ ପଥର ଖସି ଆସିଥିଲା।

କନ୍ଧମାଳ ଜିଲାର ଲାଇଫଲାଇନ କୁହାଯାଉଥିବା ଉକ୍ତ ଘାଟି ରାସ୍ତାରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇପାରୁ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଦାରିଙ୍ଗବାଡିରୁ ଭୁବନେଶ୍ୱର ଯାଉଥିବା ବସ୍‌ଗୁଡିକ ଅନ୍ୟ କେଉଁ ରାସ୍ତାରେ ଯାଇପାରେ ବୋଲି କୁହାଯାଉଛି।

Share