ଥୁଆମୂଳ ରାମପୁର,୨୯ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲ ପାଟଣା – ମୁଖୀଗୁଡ଼ା ମୁଖ୍ୟ ଘାଟି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ରାସ୍ତାଟି ବିଗତ ଦିନରେ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ଅଧୀନରେ ହୋଇଛି ଯାହାକି ବିଭିନ୍ନ ଗେଟ୍ ବା ଜଳଭଣ୍ଡାରକୁ କର୍ମଚାରୀମାନେ ଯିବା ଆସିବା କରିବା ପାଇଁ ପ୍ରୋଜେକ୍ଟ ସମୟରେ ର୍ନିମାଣ କରାଯାଇଥିଲା । ବର୍ତ୍ତମାନ ଏହି ରାସ୍ତାଟି ମରଣଯନ୍ତା ପାଲଟିଯାଇଛି। ରାସ୍ତାଟିି ଥୁଆମୂଳ ରାମପୁର ବ୍ଲକ ଠାରୁ ଜୟପାଟଣା, କୋକସରା, ଜୁନାଗଡ଼, ଧର୍ମଗଡ଼ ବ୍ଲକ ସମେତ ପଡ଼ୋଶୀ ଜିଲା ନବରଙ୍ଗପୁର ସହିତ ସଂଯୋଗ କରୁଥିବା ରାସ୍ତା ହୋଇଥିବାରୁ ଥୁଆମୂଳ ରାମପୁର ବ୍ଲକର ମହୁଲପାଟଣା, ପାଡ଼େପଦର, ବଡ଼ଛତ୍ରଙ୍ଗ, ଅଡ୍ରି, ଗୋପୀନାଥପୁର ସମେତ ମୁଖୀଗୁଡ଼ା, ମଙ୍ଗଳପୁର, ଧନସୁଲି ବଡ଼ କର୍ଲାକୋଟ ଆଦି ପଞ୍ଚାୟତର ଜନସାଧାରଣ ବିଭିନ୍ନ କାର୍ଯ୍ୟ ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ରାସ୍ତା ଦେଇ ବିଭିନ୍ନ ସମୟରେ ଛୋଟ ବଡ଼ ବ୍ୟବସାୟୀଙ୍କ ଯାନବାହନଠାରୁ ଆରମ୍ଭ କରି ସ୍କୁଲ କଲେଜର ଛାତ୍ରୀ ଛାତ୍ର ଙ୍କ ଜୀବନ ରେଖା ପାଲଟିଛି ଏହି ଘାଟି ରାସ୍ତା l ଥୁଆମୂଳ ରାମପୁର ବ୍ଲକ ଗୁଣୁପୁରଠାରୁ ମହୁଲପାଟଣା-ଗୋପୀନାଥପୁର ରାସ୍ତା ସମ୍ପ୍ରସାରଣ ବା ନବୀକରଣ ପାଇଁ ଜେସିବି, ଟିପ୍ପର, ହାଇୱା, ଟ୍ରକ୍, ଟ୍ରାକ୍ଟର ନିୟୋଜିତ ହୋଇଛି। ସେହି ଗାଡ଼ିମୋଟର ନିତିଦିନିଆ ଯିବା ଆସିବା କରୁଛି। ଏହାଦ୍ବାରା ଆଜି ରାସ୍ତାର ଏହି ଅବସ୍ଥା ହୋଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଥିବା ବେଳେ ଅଧିକାଂଶ ସମୟରେ ରାସ୍ତାର ଏହି ଶୋଚନୀୟ ଅବସ୍ଥା ଯୋଗୁ ପଥଚାରୀମାନେ ଚଳପ୍ରଚଳ କରୁଥିବା ବେଳେ ରାସ୍ତାରେ ଥିବା ଖାଲରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବା ଦୁଇ ଚକିଆ କିମ୍ବା ଚାରି ଚକିଆଯାନ ଉକ୍ତ ଖାଲରେ ପଡିଗଲେ ଜମା ହୋଇଥିବା ପାଣି ଛିଟିକି ଯାଇ ଲୋକଙ୍କ ଉପରେ ପଡିଯାଇଥିବା ଲୋକମାନେ ବିଭିନ୍ନ ସମୟରେ ହଇରାଣ ହେଉଥିବା ଦେଖିବାକୁ ମିଳିଥାଏ। ଏପରିକି କି ରାସ୍ତା ଅଣଓସାରିଆ ସହ ସ୍ଥାନେ ସ୍ଥାନେ ଏଭଳି ଖାଲଖମା ରହିଛି ସେଥିରେ ଅଳ୍ପ ବର୍ଷାରେ ବେହାଲ ହୋଇ ପଡ଼ୁଛି । ଏହି ରାସ୍ତା ପ୍ରତି ଜିଲା ପ୍ରଶାସନ କିମ୍ବା ସ୍ଥାନୀୟ ଏମ୍ପି, ବିଧାୟକ ଦୃଷ୍ଟି ଦେବାକୁ ପଥଚାରୀଙ୍କ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ହେଉଛି।