ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି । ଦୁଇ ବେପାରୀଙ୍କୁ ଧରିବା ପାଇଁ ପୋଲିସ କର୍ମଚାରୀ ନାକେଦମ୍ ହୋଇ ଆସୁଥିବା ବେଳେ ସଫଳତା ମିଳିଛି ।
ସୂଚନା ଅନୁସାରେ, ଆନନ୍ଦପୁରରୁ ଭଦ୍ରକ ଅଭିମୁଖେ ଏକ ଚୋରା ମହୁଲି ମଦ ବୋଝେଇ ପିକଅପ ଗାଡି ଯାଉଥିଲା । ଖବରପାଇ ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, ଏସଆଇ ସୁଷମା ସୁନ୍ଦରୀ ସେଠୀ, ଏଏସଆଇ କାଳନ୍ଦୀ ସା ଏବଂ ଅନ୍ୟ ପୋଲିସ କର୍ମଚାରୀ ମରୈଗାଁ -ହାଟଡିହୀ ରାସ୍ତାରେ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ଗାଡିଟି ଅଟକିନଥିବା ବେଳେ ଦ୍ରୁତ ଗତିରେ ପଳାଇ ଥିଲା । ପୋଲିସ ମଧ୍ୟ ଗାଡିଟିକୁ ପଛ କରିଥିଲା । ଚୋରା ମଦ ବେପାରୀ ଏବଂ ପୋଲିସର ଗୋଡ଼ାଗୋଡି ଖେଳ ଭିତରେ ଜଣେ ସ୍କୁଟି ଆରୋହୀଙ୍କୁ ମହୁଲି ମଦ ବୋଝେଇ ଗାଡି ଧକ୍କା ଦେଇ ଥିଲା ।
ସ୍କୁଟି ଆରୋହୀ ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ଅଞ୍ଚଳରେ ଅଟେ । ଗୁରୁତର ଅବସ୍ଥାରେ ପୋଲିସ ସ୍କୁଟି ଆରୋହୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲା । ସ୍କୁଟି ଆରୋହୀଙ୍କ ଅଭିଯୋଗ କ୍ରମେ ପୋଲିସ ୧୧୮/୨୦୨୬ ରେ ଏକ ମାମଲା ମଧ୍ୟ ରୁଜୁ କରିଛି । ଶେଷରେ ପୋଲିସ ମଦ ବୋଝେଇ ଗାଡିକୁ ଧରିବାରେ ସକ୍ଷମ ହୋଇଥିଲା । ଗାଡି ଡ୍ରାଇଭର ଅବିନାଶ ଦାସ (୨୬ ବର୍ଷ) ଏବଂ ହେଲପର ସତୀଶ ବଳ (୨୦ ବର୍ଷ ) ଗାଡି ଛାଡି ଦୌଡି ପଳାଉ ଥିଲେ । କିନ୍ତୁ ପୋଲିସ କର୍ମଚାରୀମାନେ ଉଭୟଙ୍କୁ ମଧ୍ୟ ଅନ୍ଧାରରେ ଗୋଡ଼ାଇ ଗୋଡ଼ାଇ ଧରିଥିଲେ ।
ଉଭୟଙ୍କ ଘର ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଅଞ୍ଚଳରେ ବୋଲି ପୋଲିସ କହିଛି । ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ ଏକ ମାମଲା ୧୧୯/୨୦୨୬ ରୁଜୁ ହେବା ସହ ମଦ ବୋଝେଇ ପିକଅପ ଗାଡି ଜବତ କରାଯାଇ ଡ୍ରାଇଭର, ହେଲପର ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି ।

