ଜ୍ୟେଷ୍ଠ ମାସ ପୂର୍ଣ୍ଣିମାକୁ ଦେବସ୍ନାନ ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ। ପରମ୍ପରା ଅନୁଯାୟୀ, ଚତୁର୍ଦ୍ଧାବିଗ୍ରହମାନେ ବର୍ଷରେ ଏହି ଗୋଟିଏ ଦିନ ପ୍ରତ୍ୟକ୍ଷ ସ୍ନାନ କରିଥାନ୍ତି। ତେଣୁ ଉକ୍ତ ଦିନକୁ ସ୍ନାନଯାତ୍ରା ବୋଲି କୁହାଯାଏ। ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ। ଏହାପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ। ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ ବା ବିମ୍ବ ସ୍ନାନ କରାଯାଇଥାଏ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ। ଏହାକୁ ଆଦ୍ୟ ଯାତ୍ରା ବୋଲି ମଧ୍ୟ କୁହାଯାଏ। ଏହି ଦିନକୁ ଶ୍ରୀବିଗ୍ରହମାନଙ୍କ ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଇଥାଏ।
ସ୍ନାନଯାତ୍ରାର ଅନ୍ୟ ନାମ ମଞ୍ଚସ୍ନାନ
ଦାରୁଦିଅଁଙ୍କ ସ୍ନାନଯାତ୍ରାକୁ ମଞ୍ଚସ୍ନାନ ବୋଲି ମଧ୍ୟ କୁହାଯାଏ। ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି ସ୍ନାନଯାତ୍ରାକୁ ବିବେଚନା କରାଯାଏ। ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ରାଜା ଇନ୍ଦ୍ରଦ୍ୟୁମ୍ନ ଏହି ସ୍ନାନଲୀଳା କରାଇଥିଲେ। ସେତେବେଳେ ସ୍ନାନମଣ୍ଡପ ନ ଥିବାରୁ ଏକ କାଠମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା ବୋଲି ସୂଚନା ମିଳେ। ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ରହିଛି। ଶାସ୍ତ୍ରମତରେ ୧୦୮ ସୁନାକଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହ୍ମଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା।
ସ୍ନାନମଣ୍ଡପ
ଶ୍ରୀମନ୍ଦିର ଐଶାନ୍ୟ କୋଣ ତଥା ଆନନ୍ଦ ବଜାର ପରିସରରେ ସ୍ନାନମଣ୍ଡପ ଅବସ୍ଥିତ। ଶ୍ରୀବିଗ୍ରହମାନେ ସ୍ନାନପୂର୍ଣ୍ଣିମାରେ ଉକ୍ତ ମଣ୍ଡପରେ ସ୍ନାନ କରୁଥିବାରୁ ଏହାକୁ ସ୍ନାନମଣ୍ଡପ କୁହାଯାଏ। ମଣ୍ଡପର ଲମ୍ବ ଓ ପ୍ରସ୍ଥ ସମାନ ଅର୍ଥାତ ୭୫ ଫୁଟ ଲେଖାଏ। ମଣ୍ଡପର ଉଚ୍ଚତା ଉତ୍ତରରେ ୬ ଫୁଟ୍ ୬ ଇଞ୍ଚ ଓ ଦକ୍ଷିଣରେ ୬ ଫୁଟ ୩ ଇଞ୍ଚ। ମଣ୍ଡପକୁ ଉଠିବା ନିମନ୍ତେ ପାହାଚ ଅଛି। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପିଣ୍ଡିର ବ୍ୟାସ ୩ ଫୁଟ ୫ ଇଞ୍ଚ ଓ ପରିଧି ୭ ଇଞ୍ଚ। ସେହିପରି ଶ୍ରୀଜଗନ୍ନାଥଙ୍କ ପିଣ୍ଡିର ବ୍ୟାସ ୩ ଫୁଟ ୩ ଇଞ୍ଚ ଓ ପରିଧି ୯ ଫୁଟ୍ ୩ ଇଞ୍ଚ। ଦେବୀ ସୁଭଦ୍ରାଙ୍କ ପିଣ୍ଡିର ବ୍ୟାସ ୨ ଫୁଟ୍ ଓ ପରିଧି ୬ ଫୁଟ୍ ୫ ଇଞ୍ଚ।
ପ୍ରସ୍ତୁତି: ଅଜିତ୍ କୁମାର ମହାନ୍ତି, ପୁରୀ

