ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା ବିବାଦ ମାମଲାରେ ମଙ୍ଗଳବାର ଭୁବନେଶ୍ୱର ସିଭିଲ୍ ଜଜ୍ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପିୟୂଷଙ୍କ ବିରୋଧରେ ଲାଗିଥିବା ଅନ୍ତଃରୀଣ ରହିତାଦେଶକୁ ଅଦାଲତ ପ୍ରତ୍ୟାହାର କରିନେଇଥିବାରୁ ଏବେ ସେ ପୁଣି ମଞ୍ଚରେ ଅଭିନୟ କରିପାରିବେ।
ସୂର୍ଯ୍ୟମନ୍ଦିର ଅନୁଷ୍ଠାନ ସହ ଚୁକ୍ତି ଖିଲାପ କରି ସିଂହବାହିନୀ ଯାତ୍ରା ପାର୍ଟିରେ ଯୋଗ ଦେବାକୁ ନେଇ ପିୟୂଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ କୋର୍ଟ ତାଙ୍କୁ ମଞ୍ଚ ଚଢ଼ିବା ଉପରେ ବାରଣ କରିଥିଲେ। ମାତ୍ର ମଙ୍ଗଳବାର କୋର୍ଟ କହିଛନ୍ତି ଯେ ପିୟୂଷ ପୁଣି ଯାତ୍ରା ମଞ୍ଚରେ କଳା ପରିବେଷଣ କରିପାରିବେ।
ରାୟ ପୂର୍ବରୁ ପିୟୂଷ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ମଞ୍ଚକୁ ଫେରିବା ଅନୁମତି ମିଳିବା ପରେ ସେ ଖୁସି ପ୍ରକଟ କରି କହିଛନ୍ତି, “ସବୁର ବିଚାର କାଳିଆ ପାଖରେ। ଯେଉଁମାନେ ମୋ ବିରୁଦ୍ଧରେ ଯାଇଥିଲେ ସେମାନଙ୍କର ଅହଙ୍କାର ବଢ଼ିଯାଇଥିଲା। ମହାପ୍ରଭୁଙ୍କ କୃପା ଓ ଦର୍ଶକଙ୍କ ଭଲପାଇବା ଯୋଗୁଁ ମୁଁ ନିଶ୍ଚିତ ଭାବେ ଖଣ୍ଡଗିରି ମେଳାରେ ଯାତ୍ରା ପରିବେଷଣ କରିବି।”
ସୂଚନା ଅନୁଯାୟୀ, ସୁର୍ଯ୍ୟମନ୍ଦିର ପାର୍ଟିରେ ୨୦୨୬ ମସିହା ଜୁନ ଯାଏ ପିୟୂଷଙ୍କ ଚୁକ୍ତି ଥିଲା। ହେଲେ ସେ ୨୦୨୫ ଯାତ୍ରାଋତୁରେ ସିଂହବାହିନୀରେ ଯୋଗ ଦେବେ ବୋଲି ଟଙ୍କା ଆଣିଥିଲେ। ଫଳରେ ସୁର୍ଯ୍ୟ ମନ୍ଦିର ଓ ସିଂହବାହିନୀ ପାର୍ଟି ମଧ୍ୟରେ ବିବାଦ ଉପୁଜିଥିଲା। ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ। ଗତ ଏପ୍ରିଲ ୧୧ରେ ହୋଇଥିବା ଯାତ୍ରା ମାଲିକ ସଂଘ ବୈଠକରେ ପିୟୁଷ ସୂର୍ଯ୍ୟମନ୍ଦିର ମାଲିକଙ୍କୁ ୬୦ ଲକ୍ଷ ଏବଂ ସିଂହବାହିନୀ ମାଲିକଙ୍କୁ ୫୫ ଲକ୍ଷ ଟଙ୍କା ଫେରାଇ ଦେଇଥିଲେ। ଏପରିକି ବର୍ଷେ ଯାତ୍ରା କରିବେ ନାହିଁ ବୋଲି ମଧ୍ୟ ପିୟୂଷ କହିଥିଲେ। ହେଲେ ସେ ଚଳିତବର୍ଷ ଜାନୁଆରୀ ୫ ତାରିଖରେ ସିଂହବାହିନୀ ଯାତ୍ରା ମଞ୍ଚ ଚଢ଼ିଥିଲେ। ଏହାକୁ ନେଇ ସୂର୍ଯ୍ୟମନ୍ଦିର ପକ୍ଷରୁ କୋର୍ଟରେ ମାମଲା ହୋଇଛି।

