
ନୂଆଦିଲ୍ଲୀ,୪।୨: ପ୍ରୟାଗରାଜ କୁମ୍ଭମେଳା ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟଣା ପରେ ତୀର୍ଥଯାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ଆଣିବା ଦାବିରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣିକୁ ସୋମବାର ଅଗ୍ରାହ୍ୟ କରିଦେଇଛନ୍ତି। ମହାକୁମ୍ଭରେ ଦଳାଚକଟା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ କହିଥିବାବେଳେ ଆଲ୍ଲାହାବାଦ ହାଇକୋର୍ଟରେ ଏ ସମ୍ପର୍କିତ ପିଟିଶନ ବିଚାରାଧୀନ ଥିବାରୁ ଆବେଦନକାରୀଙ୍କୁ ଉକ୍ତ ଅଦାଲତଙ୍କ ଦ୍ୱାରସ୍ଥ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ବିଶାଲ ତିଓ୍ବାରି ଦାଏର କରିଥିବା ଉକ୍ତ ପିଟିଶନରେ ଦଳାଚକଟା ଭଳି ଘଟଣା ଯେପରି ନ ଘଟେ, ତାହା ସୁନିଶ୍ଚିତ କରିବା ଏବଂ ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ, ସମାନତା ଓ ଜୀବନ ଧାରଣ ମୌଳିକ ଅଧିକାରର ସୁରକ୍ଷା ପାଇଁ ନିବେଦନ କରାଯାଇଥିଲା। ମହାକୁମ୍ଭ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁରକ୍ଷିତ ଓ ନିରାପଦ ପରିବେଶ ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବାକୁ ଆଇନଜୀବୀ ନିବେଦନ କରିଥିଲେ। ଆବେଦନ ପୂର୍ବରୁ ହାଇକୋର୍ଟଙ୍କ ବିଚାରାଧୀନ ଥିବାରୁ ସୁପ୍ରିମକୋର୍ଟ ଏହାକୁ ଅନୁଧ୍ୟାନ କରିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।