ଅହମଦାବାଦ,୨୧।୮: ଗୁଜରାଟର ଏକ ସ୍କୁଲରେ ଦଶମ ଶ୍ରେଣୀର ଛାତ୍ର ନୟନ ସନ୍ତାନୀଙ୍କୁ ତାଙ୍କ ଜୁନିଅର ଛାତ୍ର ଛୁରୀ ଭୁସି ହତ୍ୟା କରିଥିବା ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସ ତଦନ୍ତରୁ ଇନଷ୍ଟାଗ୍ରାମରେ ଅଭିଯୁକ୍ତ ଓ ତାଙ୍କ ବନ୍ଧୁଙ୍କ ମଧ୍ୟରେ ହୋଇଥିବା ଚାଟରୁ ହତ୍ୟାର ସ୍ବୀକାରୋକ୍ତି ମିଳିଛି।
ମଙ୍ଗଳବାର ଅପରାହ୍ନରେ ସେଭେନ୍ଥ-ଡେ ଆଡଭେଣ୍ଟିଷ୍ଟ ହାୟର ସେକେଣ୍ଡାରୀ ସ୍କୁଲ ଛୁଟି ହେବା ପରେ ନୟନ ଘରକୁ ଫେରୁଥିବା ବେଳେ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ର ଓ କିଛି ଅନ୍ୟ ପିଲା ତାଙ୍କୁ ଘେରି ବାକଯୁଦ୍ଧ ଆରମ୍ଭ କରିଥିଲେ। ଚାହୁଁଚାହୁଁ ବାକଯୁଦ୍ଧ ଶାରୀରିକ ସଂଘର୍ଷରେ ପରିଣତ ହେବା ପରେ ଅଭିଯୁକ୍ତ ଛାତ୍ର ନୟନଙ୍କୁ ଛୁରୀ ଭୁସି ଫେରାର ହୋଇଥିଲା। ସିସିଟିଭି ଫୁଟେଜରେ ନୟନ ପେଟରେ ଛୁରୀ ଆଘାତ ସହ ସ୍କୁଲକୁ ଫେରୁଥିବା ଦେଖାଯାଇଛି।


