ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ଲାଗି ପ୍ରସ୍ତୁତି ବଳି ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ପୁରୁଷୋତ୍ତମପୁର,୬ା୩ (ସବିତା ମିଶ୍ର): ଚଳିତବର୍ଷ ମାର୍ଚ୍ଚ ୧୦ରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହେବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପୌରହିତ୍ୟରେ ଶୁକ୍ରବାର ରାତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସୋରଡା ବିଧାୟକ ନୀଳମଣି ବିଷୋୟୀ,ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ, ଛତ୍ରପୁର ଉପଜିଲାପାଳ ଶୁଭାଶିଷ ବରାଳ, ଅତିରିକ୍ତ ଏସ୍‌ପି ପ୍ରଶାନ୍ତ ଦାଶ ଉପସ୍ଥିତ ରହି ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସର ୪ଟି ମଙ୍ଗଳବାର ୧୦, ୧୭, ୨୪ ଏବଂ ୩୧ ତାରିଖ ପଡୁଛି। ଏହି ଚୈତ୍ର ଯାତ୍ରା ମହାଆଡମ୍ବରରେ ହେବ। ଚଳିତ ବର୍ଷ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଗତବର୍ଷ ତୁଳନାରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ତଥା ମାନସିକଧାରୀଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଆଇନ ଶୃଙ୍ଖଳା ଓ ଟ୍ରାଫିକ ସମସ୍ୟା, ଆଲୋକିକରଣ, ପାନୀୟ ଜଳ ଯୋଗାଣ, ମୁଣ୍ଡନ, ମୋବାଇଲ ଟଏଲଟ ବ୍ୟବସ୍ଥା କରିବା, ଦୀପଷ୍ଟାଣ୍ଡ କରିବା, ପାହାଡ ଉପରକୁ
ଯାତାୟତ ଲାଗି ଅଧିକ ବସ୍‌ ନିୟୋଜିତ କରିବା, ତୋରଣ, ପରିମଳ, ଅଗ୍ନିଶମ ନିର୍ବାପକ, ପ୍ରାଥମିକ ଚିକିତ୍ସା ଓ ଆମ୍ବୁଲାନ୍ସ ବ୍ୟବସ୍ଥା ଭଜନ ସମାରୋହ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା। ମଦ ଓ ନିଶା କାରବାର ବନ୍ଦକରିବା, ପାହାଡତଳେ ବିଭିନ୍ନ ସ୍ଥାନରେ ବଳି ପକାଯାଉଥିବାରୁ ଏହି ବଳିପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଓ ନକଲି ଘିଅ ବିକ୍ରି ବନ୍ଦ କରିବା ଲାଗି ମନ୍ତ୍ରୀ ଗୁରୁତ୍ୱାରୋପ କରି ଏହା ନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଜିଲା ପରିବହନ ଅଧିକାରୀ ଦେବାଶିଷ ସ୍ବାଇଁ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା, ବିଡ଼ିଓ ଶରତ ପାତ୍ର , ଏସ୍‌ଡିପିଓ ସୁଜିତ ନାୟକ, ଆଇଆଇସି କୁଳମଣି ସେଠୀ, ମନ୍ଦିର ଉନ୍ନୟନ ପରିଷଦ ସଂପାଦକ ପ୍ରମୋଦ ପଣ୍ଡା, ବରିଷ୍ଠ ସେବାୟତ ବାପୁଜୀ ରଣା ଓ ଅନ୍ୟମାନେ ଉପସ୍ଥିତଥିଲେ।।

Dharitri – Odisha’s No.1 Odia Daily

Share