ପୁରୁଷୋତ୍ତମ ପୁର,୧୦।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି । ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି ପାହାଡ ପ୍ରକମ୍ପିତ ହେବାରେ ଲାଗିଛି । ମା’ଙ୍କ ଦର୍ଶନ କରିବା ନିମନ୍ତେ ମଧ୍ଯରାତ୍ରରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି । ମା’ ତାରାତାରିଣୀ ଦୁଇ ଭଉଣୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
ରାତ୍ର ୧ଟା୩୦ରେ ମନ୍ଦିର ଦ୍ଵାର ଫିଟା ହୋଇ ମାଜଣା, ମଙ୍ଗଳ ଆଳତି, ସିଙ୍ଗାର, ଅବକାଶ ସହ ପଞ୍ଚଶୁତ୍ର ଅଭିଷେକ ଆଦି ପରମ୍ପରା ଅନୁସାରେ ସମସ୍ତ ରୀତିନୀତି କରାଯାଇ ପୂଜାର୍ଚ୍ଚନା ହୋଇଥିଲା । ଭୋର ୪ଟା ସମୟରେ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତୀ ଭାସନ ଓ ତାଙ୍କ ପତ୍ନୀ ମନ୍ଦରରେ ପହଞ୍ଚି ପୂଜାର୍ଚ୍ଚନା କରି ପଞ୍ଚାମୃତ ହାଣ୍ଡିକୁ ମୁଣ୍ଡାଇ ବେଢା ପରିକ୍ରମା କରିଥିବା ବେଳେ ଜିଲାବାସୀଙ୍କ ମଙ୍ଗଳ କାମନା କରିଥିଲେ ଜିଲାପାଳ । ତାରାତାରିଣୀ ଦୁଇ ଭଉଣୀଙ୍କୁ ସେବାୟତମାନେ ମହାକାଳୀ ବେଶରେ ସଜ୍ଜିତ କରାଇବା ପରେ ଭୋର ସକାଳ ୪ଟା୩୦ରେ ସାହାଣ ମେଲା ହୋଇଥିଲା । ବର୍ତ୍ତମାନ ଭକ୍ତଙ୍କୁ ମହାକାଳୀ ରୂପରେ ଦର୍ଶନ ଦେଉଛନ୍ତି ଦୁଇଭଉଣୀ ।
ରାତ୍ର ୩ଟା୩୦ରୁ ମୂଣ୍ଡନ କାର୍ଯ୍ଯ ଆରମ୍ଭ ହୋଇଛି । ପ୍ରଥମ ମଙ୍ଗଳବାର ଯୋଗୁଁ ଭକ୍ତଙ୍କ ପ୍ରବଳ ସମାଗମ ଦେଖାଯାଇଛି । ଚୈତ୍ର ମଙ୍ଗଳବାରରେ ମା’ଙ୍କୁ ଦର୍ଶନ କରି ଭକ୍ତମାନେ ବେଶ ଖୁସି ଥିବା କହିଛନ୍ତି । ବହୁ ଦୂରଦୂରାନ୍ତରୁ ଭକ୍ତମାନେ ମା’ଙ୍କୁ ଦର୍ଶନ ଲାଗି ଛୁଟିଆସିଥିବା ବେଳେ ମାନସିକଧାରୀମାନେ ମୁଣ୍ଡନ କରିଛନ୍ତି ।ପାହାଡ ଉପରକୁ ସ୍ବତନ୍ତ୍ର ବସ, ରୋପୱେ ଓ ପାହାଛରେ ଭକ୍ତମାନେ ଯାଇ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାରେ ଲାଗିପଡିଛନ୍ତି । ଛତ୍ରପୁର ଉପଜିଲାପାଳ ଶୁଭାଶିଶ ବରାଳ, ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର, ଏନଏସି ନିର୍ବାହୀ ଅଧିକାରୀ ସଂଗିତା ସେଠୀ, ଏସଡିପିଓ ସୁଜିତକୁମାର ନାୟକ, ଆଇଆଇସି କୁଳମଣି ସେଠୀ ଉପସ୍ଥିତ ରହି ପରିଚାଳନା କରୁଛନ୍ତି ।