ପୁରୁଷୋତ୍ତମପୁର,୨।୧୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଅନ୍ଧକାରମୟ ହୋଇ ରହିଥିବା ବେଳେ ମୋବାଇଲ ଲାଇଟରେ ପୂଜାର୍ଚ୍ଚନା କରାଯାଉଥିବା ଭଳି ଦୃଶ୍ୟ ମଙ୍ଗଳବାର ଦେଖିବାକୁ ମିଳିଛି।

ମନ୍ଦିରର ବେଢ଼ା ଓ ଗର୍ଭଗୃହରେ ସନ୍ଧ୍ୟା ପରେ ଘୋର ଅନ୍ଧକାର ଲାଗି ରହୁଛି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗୁଛି। ମାତ୍ର, ମନ୍ଦିରରେ ଆଲୋକର ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ଓ ରାତ୍ରି ସମୟରେ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଭକ୍ତ ନିଜ ମୋବାଇଲ ଟର୍ଚ୍ଚ ପକାଇ ମା’ଙ୍କୁ ଦର୍ଶନ କରୁଛନ୍ତି।

ମନ୍ଦିରରେ ଏଭଳି ପରିସ୍ଥିତି ଉପୁଜିଥିବା ସତ୍ତ୍ୱେ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଭକ୍ତ ଓ ପର୍ଯ୍ୟଟକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସାଧାରଣରେ ଦାବୀ ହୋଇଛି ଯେ, ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ ଓ ଗଞ୍ଜାମ ଜିଲାପାଳ ତୁରନ୍ତ ଏହି ସମସ୍ୟା ଉପରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ।

