କୋକସରା,୨୨।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତର ଚିଲିଗୁଡାରେ ପୂଜିତ ପ୍ରାଚୀନ ‘ଅଭିଚାର ତନ୍ତ୍ର’ ଧାରାର ଅନ୍ୟତମ ସର୍ବମାନ୍ୟ ଦେବୀ ମା’ ସର୍ବମଙ୍ଗଳାଙ୍କ ବାର୍ଷିକ ଛତର ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଦେବୀ ଏଠାରେ ରକ୍ତ ଭୋଗ ବଦଳରେ କେବଳ ଶୁକ୍ଳ ଭୋଗରେ ପୂଜା ପାଇଥାନ୍ତି ଏବଂ ବର୍ଷକରେ ଥରେ ଛତର ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।
ସାଧାରଣତଃ ସୋମବାର ମଧ୍ୟରାତ୍ରୀରୁ ଦେବୀଙ୍କ ଛତର ମନ୍ଦିରରୁ ବାହାରି ଗାଁ ଗୌନ୍ତିଆ ବିନୋଦ ବିହାରୀ ସିଂଙ୍କ ଘରକୁ ଆସିଥାଏ। ତେବେ ଚଳିତ ବର୍ଷ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ଏବଂ ମୁଟୁରା ନଦୀ କୂଳରେ ଥିବା ବିହନଛିନା ଗୁଡ଼ିରୁ ଦେବୀଙ୍କ ଛତର ଯାତ୍ରା ବାହାରିଥିଲା। ସେଠାରେ ଦେବୀଙ୍କ ପ୍ରତିମାଙ୍କୁ ଛତର ରୂପରେ ପୂଜାର୍ଚ୍ଚନା କରାଯିବା ପରେ ସକାଳୁ ଛତର ମନ୍ଦିର ଅଭିମୂଖେ ବାହାରିଥିଲା।
ଏହି ଯାତ୍ରା ସମୟରେ ହଜାର ହଜାର ଶ୍ରଦ୍ଧାଳୁ ରାସ୍ତାକଡ଼ରେ ଠିଆ ହୋଇ ଧୂପଦୀପ ଜଳାଇ, ମନ୍ଦାର ମାଳ, ବେଳପତ୍ର ଅର୍ପଣ କରିବା ସହ ନଡ଼ିଆ ଭାଙ୍ଗି ମା’ଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ମାନସିକ କରିଥିଲେ। ପରେ ଦେବୀଙ୍କ ଛତର ସମଗ୍ର ଗାଁ ପରିକ୍ରମା କରି ମୁଖ୍ୟ ପୀଠରେ ପହଞ୍ଚିଥିଲା।
ଯାତ୍ରା ଅବସରରେ ରାତିରେ ନାଟକ, ଘୁମୁରା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହାକି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ବିଶେଷ ଉତ୍ସବରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କୋକସରା ବ୍ଲକ ଯୁବ ଯାଦବ ମହାସଭା ତରଫରୁ ଜଳ ବଣ୍ଟନ କରାଯାଇଥିଲା। ପୂଜା କମିଟି ସଭାପତି ପ୍ରଶାନ୍ତ ସିଂହ, ସମ୍ପାଦକ ଅଭିମନ୍ୟୁ ଗୋପାଳ, ଉପ-ସଭାପତି ଦୈତାରୀ ବାରିକ, ସହ ସମ୍ପାଦକ ରଜନୀକାନ୍ତ ପଣ୍ଡା, ପୂଜକ ମନଧର ପୁଝାରୀ, ଉପଦେଷ୍ଟା ଉତ୍ତମ କୁମାର ପଣ୍ଡା, ଲିଙ୍ଗରାଜ ନିଆଲ ପ୍ରମୁଖଙ୍କ ସମେତ ସମସ୍ତ ଗ୍ରାମବାସୀ ଏହି ପୂଜା ଓ ଯାତ୍ରା ପରିଚାଳନାରେ ସମସ୍ତ ପ୍ରକାର ସହଯୋଗ କରିଥିଲେ।

