ବରଗଡ଼,୧୨ା୪: ଆଜି ଚୈତ୍ର ପୂର୍ଣ୍ଣିମା । ଏହି ଅବସରରେ ବରଗଡ଼ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାର୍ଷିକ ମହାସ୍ନାନ ଉତ୍ସବ ଚାଲିଛି। ଭୋର୍ ୪ଟାରୁ ମା’ଙ୍କ ସ୍ବତନ୍ତ୍ର ପୂଜା ସହ ଦେବୀଙ୍କ ମହାସ୍ନାନ ପର୍ବ ହୋଇଥିଲା। ସେହିପରି ଭୋର ୪ଟା ୫୦ମିନିଟରୁ ଭକ୍ତଙ୍କ ଦ୍ୱାରା ମା’ ସମଲେଶ୍ବରୀଙ୍କ ଜଳାଭିଷେକ ହୋଇଥିଲା। ମା’ଙ୍କର ଏହି ଜଳାଭିଷେକ ବର୍ଷକରେ କେବଳ ଚୈତ୍ର ପୂର୍ଣ୍ଣିମା ତିଥିରେ ଅନୁଷ୍ଠିତ ହେଉଥିବା ବେଳେ ଆଜିର ଦିନକୁ ଭକ୍ତମାନେ ବହୁ ଆଗ୍ରହ ସହକାରେ ଅପେକ୍ଷା କରିଥାନ୍ତି। ଦେବୀ ସମଲେଶ୍ୱରୀ ହେଉଛନ୍ତି ମାତା ପାର୍ବତୀଙ୍କ ସ୍ବରୂପ। ତେଣୁ ମାତା ପାର୍ବତୀଙ୍କୁ ଚୈତ୍ର ପୂର୍ଣ୍ଣିମା ତଥା ଆଜିର ଦିନରେ ଜଳାଭିଷେକ କରାଗଲେ ସମଗ୍ର ପୃଥିବୀ ଶୀତଳିକରଣ ହୋଇଥାଏ। ଆଉ ଗରମର ପ୍ରାଦୁର୍ଭାବରୁ ସମଗ୍ର ଜୀବଜଗତକୁ ରକ୍ଷା ମିଳିଥାଏ। ସେହିପରି ମା’ଙ୍କୁ ଆଜିର ଦିନରେ ସ୍ନାନ କରାଇଲେ ଗରମ ଦାଉରେ ଦେଖାଦେଉଥିବା ବିଭିନ୍ନ ରୋଗ ଉପଶମ ହେବା ସହ ପରିବାର ତଥା ସମାଜର ମଙ୍ଗଳ ହୋଇଥାଏ ବୋଲି ଭକ୍ତଙ୍କ ମଧ୍ୟରେ ଅତୁଟ ବିଶ୍ୱାସ ରହିଛି। ମା’ ସମଲେଶ୍ବରୀଙ୍କୁ ଦର୍ଶନ ପାଇଁ ଭୋରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।