ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ)- ସେପ୍ଟେମ୍ବର ୩୦ରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ଅନୁଷ୍ଠିତ ହେବ। ଏହି ଉତ୍ସବ ପାଳନ ପାଇଁ ଶନିବାର ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଜିଲାପାଳ ପାୱାର ସଚିନ ପ୍ରକାଶ ଅଧ୍ୟକ୍ଷତା କରିଥିଲେ। ଜିଲାପାଳ ସମସ୍ତଙ୍କୁ ସ୍ବାଗତ ଜଣାଇ ମା’ଙ୍କ ଛତର ଯାତ୍ରା କିପରି ଶାନ୍ତିଶୃଙ୍ଖଳା ସହ ପାଳନ କରାଯିବ ସେ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସେପ୍ଟେମ୍ବର ୩୦ ମହାନବମୀ ପ୍ରାତଃ ୪ଟାରେ ଜେନାଖାଲଠାରେ ରୀତିନୀତି ପୂଜାର୍ଚ୍ଚନା ପରେ ମା’ଙ୍କ ଛତରଯାତ୍ରା ଘଣ୍ଟ ବାଦ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କ ଗହଣରେ ରାଜପ୍ରାସାଦସ୍ଥିତ ମା’ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଭବାନୀପାଟଣା ସହରର ସମସ୍ତ ରାସ୍ତାଘାଟ, ନାଳନର୍ଦ୍ଦମା ସଫାସୁତୁରା ସହ ରାସ୍ତା ପାର୍ଶ୍ୱରେ ଲାଗିଥିବା ସମସ୍ତ ସିସି କ୍ୟାମେରା ଠିକ୍ କରିବା ପାଇଁ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଟ୍ରାଫିକ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପୋଲିସ ମୁତୟନ, ପାନୀୟ ଜଳ ସୁବ୍ୟବସ୍ଥା, ଫାଷ୍ଟଏଡ ଆମ୍ବୁଲାନ୍ସ ସେବା, ବିଦ୍ୟୁତ ସରବରାହ, ସୂଚନା କେନ୍ଦ୍ର, ପୋଲିସ କଣ୍ଟ୍ରୋଲ ରୁମ ଖୋଲିବା, ମଦ ଦୋକାନ ବନ୍ଦ ରଖିବା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। କଡନ ସୁପରିଚାଳନା, ସାଂସ୍କୃତିକ କାର୍ଯ୍ୟକ୍ରମ ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯିବା ପାଇଁ ସ୍ଥିର କରାଯାଇଥିଲା। ସେହିପରି ଅକ୍ଟୋବର ୨ ତାରିଖ ବିଜୟା ଦଶମୀ ଉପଲକ୍ଷେ ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।