ମା’ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ: ସାମିଲ ହେଲେ କଳାହାଣ୍ଡି ମହାରାଜ

ଭବାନୀପାଟଣା/ଜୁନାଗଡ଼, ୧୪।୯(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓଙ୍କ ଉପସ୍ଥିତିରେ ଏହି ପର୍ବ ପାଳିତ ହୋଇଥିଲା। ଶ୍ରଦ୍ଧାଳୁ, ଭକ୍ତମାନେ ମା’ଙ୍କ ଦର୍ଶନ ସିଧାସଳଖ ଭାବେ କରିଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

ସନ୍ଧ୍ୟା ୬ଟା ୧୫ରେ ମା’ ଲଙ୍କେଶ୍ୱରୀଙ୍କ ମନ୍ଦିରରୁ ସ୍ଥାନୀୟ ଘଣ୍ଟ ଦଳ ସହ ଏକ ଶୋଭାଯାତ୍ରାରେ ପୂଜକ ମା’ଙ୍କ ପାଟଖଣ୍ଡାକୁ ଧରି ନିକଟ ଡାକବଙ୍ଗଳାରେ ତିଆରି ଅସ୍ଥାୟୀ ଝୁପୁଡି କୁଡିଆ ଘରକୁ ନେଇଥିଲେ। ସେହିପରି ବୁଢାରଜା ମନ୍ଦିରରୁ ଶଙ୍ଖୁଆରୀ ଆଉ ଏକ ଖଣ୍ଡା ଧରି ସେଠାକୁ ଆଣିଥିଲେ। ଉପରୋକ୍ତ ଅସ୍ଥାୟୀ ଘରେ ମା’ ଲଙ୍କେଶ୍ୱରୀଙ୍କ ପାଟଖଣ୍ଡା ଓ ବୁଢା ରଜାଙ୍କ ଖଣ୍ଡାକୁ ସ୍ବର୍ଣ୍ଣାକାର ବାଳକୃଷ୍ଣ ଆଚାରୀ ପୂଜାର୍ଚ୍ଚନା କରି ମାର୍ଜନା କରିଥିଲେ।

ମାର୍ଜନା ପରେ ଲଙ୍କେଶ୍ୱରୀ ମନ୍ଦିର ପୂଜକ ମା’ଙ୍କ ଖଣ୍ଡାକୁ ଧରି ଲଙ୍କେଶ୍ୱରୀ ମନ୍ଦିରକୁ ଯାଇଥିଲେ। ସେହିପରି ଶଙ୍ଖୁଆରୀ ମା’ଲଙ୍କେଶ୍ବରୀଙ୍କ ପାଟଖଣ୍ଡାକୁ ମାର୍ଜନ ପାଇଁ ମଧ୍ୟ ତାଙ୍କ ଖଣ୍ଡାକୁ ନେଇ ବୁଢାରଜା ମନ୍ଦିରକୁ ଯାଇଥିଲେ। ମା’ ଲଙ୍କେଶ୍ୱରୀଙ୍କ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ରାତି ୯ ଟା ୧୫ରେ ମା’ଙ୍କ ପାଟଖଣ୍ଡାକୁ ଚାଉଳ ଉପରେ ବସାଯାଇଥିଲା।

ପର୍ବ ଶାନ୍ତିଶୃଙ୍ଖଳା ସହିତ ହେବା ନେଇ ଜୁନାଗଡ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ଏଥିପାଇଁ ୧ ପ୍ଲାଟୁନ ପୋଲିସ ନିୟୋଜିତ ଥିଲେ। ଧର୍ମଗଡ଼ ଉପଖଣ୍ଡର ବିଭିନ୍ନ ଥାନାରୁ ଏସ୍‌ଆଇ ଓ ଏଏସଆଇ ପୋଲିସ ଅଧିକାରୀ ଯୋଗଦେଇ ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ।

ଖଣ୍ଡାବସା ଉପଲକ୍ଷେ ମା’ଙ୍କ ପୀଠ ନିକଟରେ ସ୍ଥାନୀୟ ମେଲୋଡି ଗ୍ରୁପ ପକ୍ଷରୁ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିପରି ଲଙ୍କେଶ୍ୱରୀ କ୍ଲବ ପକ୍ଷରୁ ଏକ ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ଭାବେ ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଦୁ ମଙ୍ଗରାଜ, ଜୁନାଗଡ଼ ଭାରପ୍ରାପ୍ତ ଏନଏସି ଅଧ୍ୟକ୍ଷା ହିମାଦ୍ରୀ ନାଏକ, ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱର ପୂଝାରୀଙ୍କ ସମେତ କାଉନସିଲର ଯୋଗ ଦେଇଥିଲେ।