ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି। ମା’ଙ୍କ ଦର୍ଶନ ପାଇଁ ଉଭାସ୍ଥଳକୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ଭକ୍ତମାନେ ଆଣି ଥିବା ଭୋଗ ସାମଗ୍ରୀକୁ ମା’ଙ୍କୁ ଅର୍ପଣ କରି ଆଶିଷ ଭିକ୍ଷା କରୁଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ସହଧର୍ମିଣୀ ଉଭାସ୍ଥଳକୁ ଆସି ମା’ଙ୍କୁ ପୂଜାର୍ଚ୍ଚନା କରିବା ସହିତ ଆଶିଷ ଭିକ୍ଷା କରିଛନ୍ତି।
ଏଠାରେ ପୂଜକଙ୍କ ଲୋଡ଼ା ପଡେ ନାହିଁ । ମା’ ଓ ଭକ୍ତଙ୍କ ମଧ୍ୟରେ କୌଣସି ବ୍ୟବଧାନ ନାହିଁ । ଭକ୍ତ ଆଣିଥିବା ଭୋଗ ସାମଗ୍ରୀକୁ ନିଜ ହାତରେ ଅଗ୍ନିରୁପା ହିଙ୍ଗୁଳାଙ୍କୁ ସମର୍ପି ଦେଇଥାଏ। ମା’ଙ୍କ ଯାତ୍ରା ପାଇଁ ପୋଲିସ ପ୍ରଶାସନ, ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଭକ୍ତଙ୍କ ପାଇଁ ପାନୀୟଜଳ, ବିଭିନ୍ନ ଥଣ୍ଡା ପାନୀୟ ଏବଂ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଛି। ସକାଳେ ଟିକିଏ ବର୍ଷା ହୋଇଥିଲା। ପାଗ ଥଣ୍ଡା ସହିତ ଅନୁକୂଳ ରହିଛି। ଏଭଳିସ୍ଥିତିରେ ମା’ଙ୍କ ଉଭାସ୍ଥଳ ନିକଟରେ ମାନସିକଧାରୀମାନେ ପିଲାଙ୍କ ମୁଣ୍ଡନ କରାଉଛନ୍ତି।
ମା’ଙ୍କ ଚଳନ୍ତି ପ୍ରତିମାକୁ ଶୋଭାଯାତ୍ରାରେ ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଛି। ଚଳିତ ବର୍ଷ ମା’ଙ୍କ ପାଟବରୀ ଉତ୍ସବ ହେଉଛି । ଯାହାକୁ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଥିବା ଦେଖିବାକୁ ମିଳିଛି।