ବାତ୍ୟା ମୋନ୍ଥାକୁ ରୋକିବ ଲୁଣା ହେନ୍ତାଳ ଜଙ୍ଗଲ

ମହାକାଳପଡ଼ା,୨୭ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମୋନ୍ଥା ବାତ୍ୟା ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ସାଙ୍ଗକୁ ପବନ ବହିବା ସମ୍ଭାବନା ଥିବାରୁ ଧାନ ଫସଲ ପ୍ରଭାବିତ ହେବ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି। ଭିତରକନିକା ଓ ଗହୀରମଥା ଲୁଣା ହେନ୍ତାଳ ୧ . ୬୭ ହେକ୍ଟର ଜଙ୍ଗଲ ବୃଦ୍ଧି ପାଇଛି ବୋଲି ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି। ସାମୁଦ୍ରିକ ଝଡ଼ ବାତ୍ୟାକୁ ପ୍ରତିହତ କରିବା ପାଇଁ ଲୁଣା ହେନ୍ତାଳ ଜଙ୍ଗଲ ଯୋଗୁ ଅନେକ ପରିମାଣରେ ପବନର ବେଗ ହ୍ରାସ ପାଇବା ସହ ସମୁଦ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବିଭିନ୍ନ କିସମର ଲୁଣା ଚାରା ରୋପଣ କରାଯାଇଛି ବୋଲି ପରିବେଶବିତ୍‌ ଗୌତମ ଗାୟନ୍‌ କହିଛନ୍ତି। ତହସିଲ କାର୍ଯ୍ୟାଳୟ ଓ ବ୍ଲକ ମୁଖ୍ୟ ସଦର ମହକୁମାରେ ଜରୁରୀ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି। ଅପରପକ୍ଷରେ ବ୍ଲକରେ ୫୦ରୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ସମସ୍ତ ରେସ୍କୁ ସରଞ୍ଜାମ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସମୁଦ୍ର ତଟବର୍ତ୍ତୀ ଭିତରକନିକା ୬୭୨ ବର୍ଗ କି.ମି., ଗହୀରମଥାରେ ୨୮ ବର୍ଗ କି.ମି. ଓ ମହାକାଳପଡ଼ା ବନାଞ୍ଚଳରେ ୧୨୦୦ରୁ ଅଧିକ ବର୍ଗ କିମି ଅଞ୍ଚଳରେ ଲୁଣା ହେନ୍ତାଳ ଜଙ୍ଗଲ ଘେରି ରହିଛି ବୋଲି ବିଭାଗୀୟ ସୂତ୍ରରୁ କୁହାଯାଇଛି। ଏହି ସମୟରେ ଧାନ ଥୋଡ଼ ବାହାରୁଥିବାରୁ ଆହାର ନେଇଥାଏ। ଲଘୁଚାପ ପ୍ରଭାବରେ ଅଧିକ ପବନ ହେଲେ ଧାନ ଆହାର ନେଇ ନ ପାରିବାରେ ନଷ୍ଟ ହେବା ସହ ଅଗାଡ଼ି ହେବ ବୋଲି କୁହାଯାଇଛି। ଚାଷୀଙ୍କ ବର୍ଷକର ଆହାର ବାତ୍ୟା ଛଡ଼ାଇ ନେବ ବୋଲି ହରି ଗୋଚ୍ଛାୟତ, ଅର୍ଜୁନ ରାଉତ, ଭଗବାନ ରାଉତ, ଶିଶିର ସ୍ବାଇଁ, ରାମକୃଷ୍ଣ ମଣ୍ଡଳ, ମହଦେବ ଗିରି, ଭବେନ୍‌ ମାଇତି, ଶୁକଦେବ ଖିଲାର, ସଦାଶିବ ରାଉତ ପ୍ରମୁଖ ଚାଷୀ କହିଛନ୍ତି।
ଅପରପକ୍ଷରେ ଯେଉଁମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇଛନ୍ତି ତୁରନ୍ତ କୂଳକୁ ଫେରି ଆସିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାକାଳପଡ଼ା ବ୍ଲକ ଅଧୀନ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ହେଡ୍‌ କ୍ୱାର୍ଟର ନ ଛାଡିବା ପାଇଁ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର୍‌. ଆୟର ସମସ୍ତ ଲାଇନ ଡିପାର୍ଟମେଣ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ଉପକୂଳ ଅଞ୍ଚଳ ପଞ୍ଚାୟତ ଜନପ୍ରତିନିଧି ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ଥଇଥାନ କରିବା ପାଇଁ ଆଲର୍ଟ କରାଯାଇଛି। ବିଶେଷକରି ବାତ୍ୟା ସମୟରେ ଶିଶୁ, ରୋଗୀ, ଅସହାୟା ମହିଳା, ବୃଦ୍ଧାବୃଦ୍ଧ, ଗର୍ଭବତୀଙ୍କୁ ସୁରକ୍ଷିତ ରଖିବାକୁ ସ୍ବାସ୍ଥ୍ୟଟିମ୍‌, ଅଙ୍ଗନୱାଡି, ଆଶା ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା କର୍ମକର୍ତ୍ତାଙ୍କୁ ଆଲର୍ଟ କରାଯାଇଛି। ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ଯୋଗାଣ ପାଇଁ କୁହାଯାଇଛି। ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ, ବତିଘର, ସୁନୀତି, ନାଞ୍ଜୁରା, କେବି ଦାଣ୍ଡୁଆ, ବଉଳକଣି, ରାମନଗର, ଖରୀନାଶି, ଗଗୁଆ, ପେଟଛେଲା ଆଦି ପଞ୍ଚାୟତର ଶତାଧିକ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇ ମାଛ ଧରିଥାନ୍ତି। ବ୍ଲକର ୧୮ଟି ଗ୍ରାମକୁ ସୁନାମି ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର୍‌. ଆୟରଙ୍କୁ ପଚାରିବାରେ ଧାନ ଫସଲ ପ୍ରଭାବିତଙ୍କୁ ଭିତ୍ତିକରି କୃଷି ଅଧିକାରୀଙ୍କୁ ଆଲର୍ଟ କରାଯାଇଛି। ସମୁଦ୍ରରୁ ସମସ୍ତ ମତ୍ସ୍ୟଜୀବୀ କୂଳକୁ ଫେରି ଆସିଲେଣି। କର୍ମଚାରୀମାନଙ୍କୁ ସମ୍ଭାବ୍ୟ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଲର୍ଟ କରାଯାଇଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share