ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ ପ୍ରବଳ ଥଣ୍ଡାର ସହର ଭାବେ ଜି.ଉଦୟଗିରି ପରିଚିତ ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ ପର୍ଯ୍ୟଟନକୁ ପ୍ରାଧାନ୍ୟତା ଦିଆଯାଇ ନ ଥିବା ନେଇ ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି। ରାଜ୍ୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାର ଫୁଲବାଣୀରେ ତାପମାତ୍ରା ୮.୫ ,ଦାରିଙ୍ଗବାଡ଼ିରେ ୮ ଡିଗ୍ରୀ ରହିଥିବା ବେଳେ ଜି.ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ କରାଯାଇଛି । ବିଗତ କିଛି ବର୍ଷ ହେଲାଣି ଦାରିଙ୍ଗବାଡ଼ି ଠାରୁ କମ୍ ତାପମାତ୍ରା ସହ ବେଶୀ ଶୀତ ଅନୁଭୂତ ହେଉଥିବା ନେଇ ପ୍ରଶାସନ ଅବଗତ ଥିଲେ ମଧ୍ୟ ଜି.ଉଦୟଗିରିଠାରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ କରାଯାଇ ପାରିନାହିଁ। ସହରରେ ରେକର୍ଡ କରାଯାଇଥିବା ତାପମାତ୍ରା ତୁଳନାରେ ଗ୍ରାମାଞ୍ଚଳରେ ତାପମାତ୍ରା ଆହୁରି କମ୍ ରହୁଥିବା ବେଳେ ଥଣ୍ଡା ଯୋଗୁଁ ଗରିବ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରବଳ ମାତ୍ରାରେ ଜାଡ଼ ଶୀତ ଯୋଗୁଁ ଜନଜୀବନ ପ୍ରଭାବିତ ହେଉଛି । ଶିଶୁଠୁ ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଥଣ୍ଡା କାଶ ଜ୍ୱରରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ। ଲୋକେ ଶୀତ ଦାଉରୁରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସୁଛନ୍ତି। ଶୀତ ସାଙ୍ଗକୁ କୋହଲା ପବନ ଜାଡ଼କୁ ଦ୍ୱିଗୁଣିତ କରୁଛି। ଅନ୍ୟପଟେ ଶୀତର ମଜା ନେବା ପାଇଁ ସକାଳୁ ସଞ୍ଜ ଯାଏ ପର୍ଯ୍ୟଟକଙ୍କ କବଳରେ ସମସ୍ତ ପର୍ଯ୍ୟଟନସ୍ଥଳୀ ।