ଭୁବନେଶ୍ୱର,୩୦।୧: ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବୁଧବାର ଅର୍ଥାତ୍ ଅକ୍ଟୋବର ୧ ବେଳକୁ ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୩ ତାରିଖରେ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ତେଣୁ ନବମୀ ଓ ଦଶମୀ ବର୍ଷାରେ ଭିଜିବ ବୋଲି ସୂଚନା ଦିଆଯାଇଛି।
ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ଏବଂ ଉତ୍ତର ଓଡ଼ିଶାର କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଆଦି ଅନ୍ୟ ସମସ୍ତ ଜିଲାରେ ବିଜୁଳି ଘଡ଼ଘଡ଼ି ଓ ପବନ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରାୟ ୪ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ଆକଳନ କରାଯାଇଛି।