ପଛକୁ ପଛ ୩ ଲଘୁଚାପ; ୨୬ ଯାଏ ଅତି ପ୍ରବଳ ବର୍ଷା, ଏସବୁ ଜିଲାକୁ ସତର୍କ କଲା…

ଭୁବନେଶ୍ୱର,୨୦ା୯(ବନ୍ଦନା ସେଠୀ)- ଚଳିତ ମାସ ଶେଷ ସପ୍ତାହରେ ବଙ୍ଗୋପସାଗରରେ ଦାନା ବାନ୍ଧିବ ୩ ଲଘୁଚାପ। ଏହା ପ୍ରଭାବରେ  ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏବେ ମୌସୁମୀଜନିତ ନିମ୍ନଚାପରେଖା ଓ ଟ୍ରପ୍‌ଲାଇନ ପାଇଁ ରାଜ୍ୟରେ ବର୍ଷା ହେଉଛି। ଇତିମଧ୍ୟରେ ଉତ୍ତର ଆଣ୍ଡାମାନ ତଥା ସଂଲଗ୍ନ ମ୍ୟାନ୍‌ମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନରୁ ୩.୧ କି.ମି. ଉପର ଯାଏ ଲମ୍ବିଥିବାବେଳେ ୨୨ ତାରିଖ ସୁଦ୍ଧା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚତ୍ବ। ଫଳରେ ରାଜ୍ୟରେ ବର୍ଷାର ପରିମାଣ ୨୩ ତାରିଖରୁ ବୃଦ୍ଧିପାଇବ। ଉକ୍ତ ଘୂର୍ଣ୍ଣିବଳୟଟି ୨୫ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେବ। ଏହା ପ୍ରଭାବରେ ୨୬ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ମୁଖ୍ୟତଃ ପାଗ ମେଘୁଆ ରହିଥିବାବେଳେ ସର୍ବାଧିକ ୨.୭ ସେ.ମି. ବର୍ଷା ଗଜପତି ଜିଲାର ନୂଆଗଡ଼ ଅଞ୍ଚଳରେ ରେକର୍ଡ କରାଯାଇଛି। ରବିବାର ଓ ସୋମବାର ରାଜ୍ୟର ୧୪ ଜିଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ବର୍ଷା ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ରହିବ। ମଙ୍ଗଳବାରଠାରୁ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ ବୋଲି ସୂଚନା ଦିଆଯାଇଛି।

Share