ଲଘୁଚାପ: ଆସନ୍ତା ୩ ଦିନ ଅତି ପ୍ରବଳ ବର୍ଷା,ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର,୧୨।୮(ଅନୁରାଧା ମହାରଣା)- ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶ ଉପରେ ଏକ ଘୂର୍ଣ୍ଣିବଳୟ ସଞ୍ଚାଳନ ସକ୍ରିୟ ରହିଛି। ଏହାର ପ୍ରଭାବରେ ବୁଧବାର ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଚିତ୍ର ଅଧିକ ସ୍ପଷ୍ଟ ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ସକାଳ ୮ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଆଦି ଜିଲାରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ସମସ୍ତ ଜିଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବୁଧବାର ସକାଳ ୮ଟାରୁ ୧୪ ତାରିଖ ସକାଳ ମଧ୍ୟରେ କୋରାପୁଟ ଓ ମାଲକାନଗିରିରେ ଅତିପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି, ବଲାଙ୍ଗୀର ଓ ନୂଆପଡ଼ାକୁ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ବାର୍ନିଂ ରହିଛି। ଅନ୍ୟାନ୍ୟ ଜିଲାକୁ ବିଜୁଳି ଘଡ଼ଘଡ଼ି ଭୟ ରହିଥିବାରୁ ସତର୍କ ସୂଚନା ଜାରି କରାଯାଇଛି।

Share