ମହାକାଳପଡ଼ା,୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମଣ୍ଡିରେ ଧାନ ପକାଇ ଚାଷୀମାନେ ଲୁହ ଗଡାଉଛନ୍ତି। ବଙ୍ଗୋପସାଗର ଉତ୍ତର ପୂର୍ବରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଦିନେ ଦୁଇଦିନ ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଘନ କୁହୁଡି ହେବା ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ବୋଲି କୁହାଯାଇଛି।
ଅପରପକ୍ଷରେ ବ୍ଲକ ଅଧୀନ ୨୪ ସେବା ସମବାୟ ସମିତିରେ ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ଧାନ ସଂଗ୍ରହ ଅଭିଯାନ ହୋଇଛି। । ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଧାନ ସଂଗ୍ରହ କରାଯିବ ବୋଲି ସରକାର ଡେଙ୍ଗୁରା ପିଟୁଛନ୍ତି। ହେଲେ ଚାଷୀଙ୍କ ମଣ୍ଡିରୁ ଧାନ ନ ଉଠିବାରୁ ଅବଧି ସମୟ ଗଡି ଚାଲିଛି।
ଖୋଲା ଆକାଶ ତଳେ ଶତାଧିକ କୁଇଣ୍ଟାଲ ଧାନ ପଡ଼ିରହିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ମଣ୍ଡିରୁ ଧାନ ଉଠାଇବା ପାଇଁ ପଞ୍ଜୀକୃତ ମିଲରମାନେ ଧରାଛୁଆଁ ଦେଉ ନାହାନ୍ତି। ସେମାନେ ଦୁଇ ତିନି ଥର ନିଜ ଦାବି ନେଇ ଆନ୍ଦୋଳନ କରିବାରେ ବ୍ୟସ୍ତ ଅଛନ୍ତି। ତାଙ୍କ ମନମାନିରେ ମଣ୍ଡି ଚାଲିଛି।
କେତେକ ମଣ୍ଡିରେ ଚାଷୀମାନେ ଟୋକନ ବିକ୍ରି କରି ଦୁଇ ପଇସା ପାଉଛନ୍ତି ବୋଲି ଗୁରୁତର ଅଭିଯୋଗ କରିଛନ୍ତି ଚାଷୀ । କୋଚିଳା ସମବାୟ ସମିତିରେ ଶହ ଶହ ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହିଛି। ୧୫ ଦିନ ହେବ ମିଲର ଆସୁନାହାନ୍ତି ବୋଲି ନାଥ କୁମାର ଭୋଳଙ୍କ ସମେତ ବହୁ ସଂଖ୍ୟାରେ ଚାଷୀ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟରଙ୍କୁ ପଚାରିବାରେ ଜିଲାରେ ୧୦ ଲକ୍ଷ ଟନ ଟାର୍ଗେଟ୍ ଦିଆଯାଇଥିଲା। ସେଥିମଧ୍ୟରୁ ୯ ଲକ୍ଷ ଟନ ଧାନ ଉଠାଣ ସରିଲାଣି । ଆଉ କେଉଁ ମଣ୍ଡିରେ କେତେ ବାକି ରହିଛି ତାକୁ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ।

