ଭୁବନେଶ୍ୱର,୨୩ା୭(ଅନୁରାଧା ମହାରଣା): ଦକ୍ଷିଣ ଚାଇନା ସାଗରରେ ସୃଷ୍ଟ ବାତ୍ୟା ‘ୱିଫା’ର ଅବଶିଷ୍ଟାଂଶ ଘୂର୍ଣ୍ଣିବଳୟ ରୂପରେ ବୁଧବାର ବଙ୍ଗୋପସାଗରରେ ପ୍ରବେଶ କରିଛି। ଏହାର ପ୍ରଭାବରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଫଳରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ଆଶଙ୍କା ରହିଥିବାବେଳେ ଗୁରୁବାରଠାରୁ ବର୍ଷାର ପ୍ରଭାବ ବଢ଼ିବ ବୋଲି ଆକଳନ କରାଯାଇଛି। ବୁଧବାର କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗୁରୁବାର ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇ ଲଘୁଚାପ କ୍ଷେତ୍ର ଆଗକୁ ବଢ଼ିବ, ଯାହାର ପ୍ରଭାବରେ ଜୁଲାଇ ୨୪ ଓ ୨୫ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି। ଗୁରୁବାର କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ଗଜପତି, କେନ୍ଦୁଝର, ମାଲକାନଗିରିରେ ଅତି ପ୍ରବଳ ବର୍ଷା ହେବ। ସେହିପରି ସୁନ୍ଦରଗଡ଼, ଦେବଗଡ଼, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ୱର, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଜିଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବା ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ଆସନ୍ତା ୫ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନାନୁସାରେ ଜୁନ ୧ରୁ ୨୩ ତାରିଖ ମଧ୍ୟରେ ୫୧୪.୨ ମିଲିିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସ୍ବାଭାବିକ ବର୍ଷା ୪୫୮.୮ ମିଲିମିଟରରୁ ଏହା ଯଥେଷ୍ଟ ଅଧିକ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨% ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।