ପ୍ରେମିକାଙ୍କ ମାମୁଘର ଗାଁକୁ ଆସି ଛେଚା ଖାଇଲେ ପ୍ରେମିକ

ଜଳେଶ୍ୱର, ୧୧|୧୧(ଡି.ଏନ.ଏ.)-ପ୍ରେମିକାଙ୍କୁ ଦେଖା କରିବାକୁ ଆସି ପ୍ରେମିକ ମାଡ ଖାଇ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣା ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଯୁବକ ଗାଁ ପାଖ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ। ନାବାଳିକାଙ୍କ ଘର ଲୋକ ଏହା ଜାଣିବା ପରେ ତାଙ୍କ ମାମୁ ଘରେ ରଖି ସ୍ଥାନୀୟ କଲେଜରେ ନାମ ଲେଖାଇଥିଲେ। ଯୁବକଜଣକ ଜାଣିବା ପରେ ମଙ୍ଗଳବାର ଅପରାହ୍ନରେ ନାବାଳିକାଙ୍କ ମାମୁଘର ଗାଁକୁ ଦେଖା କରିବାକୁ ଆସିଥିଲେ। ନାବାଳିକାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଏହା ଜାଣିପାରି ତାଙ୍କୁ ଘେରିଯାଇଥିଲେ। ତାଙ୍କୁ ପଚରାଉଚୁରା କରିବା ପରେ ଯୁବକଙ୍କ ମା’ ବାପାଙ୍କୁ ଫୋନ କରିବା ସହ ମାର୍‌ପିଟ୍‌ କରିଥିଲେ। ମାଡରେ ତାଙ୍କର ହାତ ଭାଙ୍ଗିଯାଇଥିଲା। ଜଳେଶ୍ୱର ପୋଲିସ ଖବରପାଇ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ନାବାଳିକାଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।