ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ ତାଙ୍କର ମୃତଦେହକୁ ସତ୍କାର କରିବାକୁ ସାହି ପଡୋଶୀ, ଗ୍ରାମବାସୀ, ବନ୍ଧୁ ବାନ୍ଧବ କିଏ ଆସି ନ ଥିଲେ। ବୃଦ୍ଧ ମା’ ମେଡିକାଲରେ ପୁଅର ମୃତଦେହ ଧରି କାନ୍ଦୁଥାଏ। ଏହିଭଳି ପରିସ୍ଥିତିରେ ବିପଦର ବନ୍ଧୁ ଓଡ଼ିଶା ଭଞ୍ଜନଗର ଶାଖା କର୍ମକର୍ତ୍ତା ମାନେ ଜାଣିବା ପରେ ମେଡିକାଲରେ ପହଞ୍ଚି ସମସ୍ୟା ସମ୍ପର୍କରେ ଅବଗତ ହେବାପରେ ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଥାନା ଅଧିକାରୀଙ୍କ ପରାମର୍ଶ କ୍ରମେ ଯୁବକଙ୍କ ଅନ୍ତିମ ସତ୍କାର ଭଞ୍ଜନଗର ଶ୍ମଶାନ ଘାଟରେ କରାଯାଇଛି। ଭଞ୍ଜନଗର ପୋଲିସ ଏବଂ ବିପଦର ବନ୍ଧୁ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ଯୁବକଙ୍କ ଅନ୍ତିମ ସତ୍କାର ହୋଇଛି। ପୋଲିସ ଏବଂ ବିପଦର ବନ୍ଧୁ କର୍ମକର୍ତ୍ତାଙ୍କ ଏହିଭଳି ପ୍ରୟାସକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଯୁବକ ଜଣଙ୍କ ଗତକାଲି ମତ୍ୟୁବରଣ କରିବା ପରେ ଦୀର୍ଘ ସମୟ ଧରି ମେଡିକାଲରେ ତାଙ୍କ ମୃତଦେହ ପଡିରହିଲା। ଯୁବକ ଜଣଙ୍କ ଅନ୍ୟ ରାଜ୍ୟରେ ପ୍ରେମ ବିବାହ କରିଥିବା ଯୋଗୁ ଜାତିରୁ ସାମାଜିକ ବାସନ୍ଦ ହୋଇଥିଲେ। ଏହାର କିଛି ବର୍ଷ ପରେ ସ୍ତ୍ରୀ ଏବଂ ତାଙ୍କର ଦୁଇ ଛୁଆ କାହ୍ନୁଙ୍କୁ
ଛାଡ଼ି ଚାଲିଗଲେ। ଘରେ କାହ୍ନୁ ଓ ତାର ବୃଦ୍ଧ ମା ମିଶି ରହୁଥିଲେ। ଦୁଃଖ କଷ୍ଟରେ ମା ପୁଅ ଚଳୁଥିଲେ। ଏହିଭଳି ପରିସ୍ଥିତିରେ ବିଗତ କିଛି ଦିନ ହେବ କାହ୍ନୁ ଅସୁସ୍ଥ ହୋଇ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଥିଲେ। ପାଖରେ ତାଙ୍କ ମା’ ଥିଲେ। ଆର୍ଥିକ ଅନାଟନ ଯୋଗୁ ମା ଅନ୍ୟତ୍ର ଅଧିକ ଚିକିତ୍ସା ପାଇଁ ପୁଅକୁ ନେଇ ପାରି ନ ଥିଲେ । ଶେଷରେ ଭାଗ୍ୟକୁ ଆଦରି ମା ପୁଅକୁ ଧରି ଭଞ୍ଜନଗର ମେଡିକାଲରେ ହିଁ ଚିକିତ୍ସା କରାଇଥିଲେ। ଶେଷରେ ପୁଅ ଆଖି ବୁଜି ଦେଇଥିଲା। ବର୍ତ୍ତମାନ ମା କିଭଳି ଚଳିବ ତାହା ଚିନ୍ତାଜନକ ବିଷୟ। ସରକାରଙ୍କ ପକ୍ଷରୁ ଯାହା ସୁବିଧା ମିଳୁଛି ସେଥିରେ ବୃଦ୍ଧ ମା’ ଜଣଙ୍କ ଚଳିବା କଷ୍ଟକର। ତେଣୁ ବୃଦ୍ଧ ମା’ ଙ୍କୁ ସରକାର କିଛି ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି।

Dharitri – Odisha’s No.1 Odia Daily