ଜଗତ୍ସିଂହପୁର,୨୫ା୨(ପ୍ରମୋଦ କୁମାର ନାୟକ): ଜଣେ ମହିଳା ଗୃହରକ୍ଷୀ(ହୋମଗାର୍ଡ)ଙ୍କୁ ପ୍ରେମ ପରେ ପ୍ରତାରଣା କରାଯାଇଛି। ଏନେଇ ଜଗତ୍ସିଂହପୁର ଥାନାର ପୂର୍ବତନ ଅତିରିକ୍ତ ଆଇଆଇସି ତଥା ବର୍ତ୍ତମାନର କୁଜଙ୍ଗ ଆଇଆଇସି ତପନ ନାହାକଙ୍କ ନାମରେ ଲିଖିତ ଅଭିଯୋଗ ହୋଇଛି। ସମ୍ପୃକ୍ତା ହୋମଗାର୍ଡ ଜଗତ୍ସିଂହପୁର ଥାନାରେ କରିଥିତ୍ବା ଅଭିଯୋଗ ଅନୁଯାୟୀ, ଆଇଆଇସି ତପନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ତପନ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ପ୍ରତାରିତ କରିଥିଲେ। ଅଭିଯୋଗକୁ ଗ୍ରହଣ କରି ଜଗତ୍ସିଂହପୁର ପୋଲିସ ଥାନାରେ ମାମଲା (ନଂ. ୧୧୭/୨୫) ରୁଜୁକରି ତଦନ୍ତ ଜାରି ରଖିଛି।
ଏ ସମ୍ପର୍କରେ ଏସ୍ପି ଭବାନୀ ଶଙ୍କର ଉଦ୍ଗାତାଙ୍କୁ ପଚାରିବାରୁ ସେ କହିଥିଲେ, ପ୍ରସଙ୍ଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଇଆଇସି ତପନଙ୍କୁ ତତ୍କାଳ ଜିଲା ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଜଗତ୍ସିଂହପୁର ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ ଏହି ମାମଲାର ତଦନ୍ତ କରୁଛନ୍ତି। ଅପରପକ୍ଷେ ଅଭିଯୋଗକାରିଣୀ ମହିଳା ଗୃହରକ୍ଷୀଙ୍କ ଡାକ୍ତର ମାଇନା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ମନା କରିଦେଇଛନ୍ତି। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଛନ୍ତି।