ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ:ପୁଣି କୋଇଡା ଛାତି ଉପରୁ ସଶସ୍ତ୍ର ଲୁଟ , ବନ୍ଧୁକ ଦେଖାଇ…

ବଣାଇଁ,୨୦।୧୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ତଥା ବଣାଇଁ ଉପଖଣ୍ଡ ଖଣି ଅଞ୍ଚଳ କୋଇଡାରେ ପୁଣି ଗତ ରାତିରେ ଏକ ଘରୋଇ ପରିବହନ ସଂସ୍ଥା ମା ତାରିଣୀ ଟ୍ରାନ୍ସପୋର୍ଟରୁ ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ସାଢେ ତିନିଲକ୍ଷ ଟଙ୍କା ଲୁଟି ଫେରାର ମାରିଛନ୍ତି । ଏପରିକି ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ ଦେଉଥିବା ପରିଲକ୍ଷିତ ହୋଇଛି । ବିଳମ୍ବିତ ରାତିରେ୮ ଜଣ ମୁଖା ପିନ୍ଧା ଡକାୟତ ହାତରେ ୪ ଜଣଙ୍କ ବନ୍ଧୁକ ଓ ୪ ଜଣ ଛୁରି ଭୁଜାଲି ନେଇ କୋଇଡା ମୁଖ୍ୟ ଛକ ଉପରେ ଥିବା ତାରିଣୀ କ୍ୟାରିଅର୍‌ ପରିବହନ ସଂସ୍ଥା କାର୍ଯାଳୟରେ ପଶିଥିଲେ। ବନ୍ଧୁକ ଦେଖାଇ ପ୍ରାୟ ସାଢେ ୩ ଲକ୍ଷ ନଗଦ ଟଙ୍କା ନେଇଯାଇଥିଲେ । ଏଥିସହ କାର୍ଯ୍ୟାଳୟର ସମସ୍ତ ସିସି ଟିଭି ତାର , କମ୍ପ୍ୟଟର ଭାଙ୍ଗି ହାର୍ଡ ଡିସ୍କ ମଧ୍ୟ ନେଇ ଯାଇଥିଲେ । କାର୍ଯାଳୟ କର୍ମଚାରୀମାନେ ଥାନାକୁ ସଙ୍ଗେ ସଙ୍ଗେ ସୁଚନା ଦେଇଥିଲେ । କୋଇଡା ଥାନାକୁ କମ୍ପାନୀ ପକ୍ଷରୁ ପେଟ୍ରୋଲିଂ ପାଇଁ ଦିଆଯାଇଥିବା ଏକ ପୋଲିସ ପାଟ୍ରୋଲିଂ ଗାଡି ଦୃତ ଗତିରେ ଏକ ଗାଡି ଆସୁଥିବା ଦେଖି ଚାଳକ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ମାତ୍ର ଦୁର୍ବୃତ୍ତ ମାନେ ତାଙ୍କ ଉପରେ ଗାଡି ଚଢାଇ ଫେରାର ମାରିଥିଲେ । ପରେ ପେଟ୍ରୋଲିଂ ଗାଡି ଚାଳକ ମୃତ ଘୋଷିତ ହୋଇଥିବା ଜଣାପଡିଛି l ପୋଲିସ କିନ୍ତୁ ଏହି ଘଟଣାକୁ ଖଣ୍ଡନ କରି ଏହା ଏକ ଦୁର୍ଘଟଣା ବୋଲି ରୂପ ଦେବାପାଇଁ ଚେଷ୍ଟା କରୁଥିବା ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି । ଘଟଣା ପରେ କୋଇଡ଼ା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ତଦନ୍ତ ଆରମ୍ଭ କରିଥିଲେ । କୋଇଡା ଏକ ଖଣି ଅଞ୍ଚଳ ହୋଇଥିବାରୁ ରାତି ତମାମ ପରିବହନ କାର୍ଯ୍ୟାଳୟ ଚାଲିଥାଏ ଏବଂ ଗାଡି ଚାଳକ ମାନଙ୍କୁ ଆଡଭାନ୍ସ ଦେବାକୁ ନଗଦ ରଖିଥାଆନ୍ତି । ଏହାର ସୁଯୋଗ ନେଇ ବାରମ୍ବାର ଡକାୟତି ବଢି ଚାଲିଛି । ଏମିତିକି କୋଇଡା ଥାନା ଅଞ୍ଚଳ ହେଉ କିମ୍ବା ବଣାଇଁ ଉପଖଣ୍ଡ ସବୁଠି ବଡ ଡକାୟତି ଲୁଟ ଘଟି ଚାଲିଛି । ହେଲେ ଡକାୟତଙ୍କ ଟେର୍‌ ପାଇପାରୁନି ପୋଲିସ। ଗତ ଏକମାସ ମଧ୍ୟରେ ସଶସ୍ତ୍ର ଡକାୟତ ବଣାଇଁ ରଶ୍ମି ଇଲେକ୍ଟ୍ରିକାଲରୁ ପ୍ରାୟ ଏକ କୋଟି, ବରସୁଆଁ ବି ଏନ ଆର୍‌ ଟ୍ରାନ୍ସପୋର୍ଟରୁ ତିନି ଲକ୍ଷ ୯୪ ହଜାର ଟଙ୍କା, କୋଇଡ଼ା ରେଙ୍ଗାଲବେଡାରୁ ସଶସ୍ତ୍ର ଲୁଟ ସମେତ ଅନେକ ଘଟଣା ଭିଆଇ ଚାଲିଛନ୍ତି। ହେଲେ ପୋଲିସ ଗୋଟେ ହେଲେ ଘଟଣାର ପର୍ଦ୍ଦାଫାସ କରି ନପାରିବା ପୋଲିସର ପାରିବା ପଣିଆକୁ ପ୍ରମାଣିତ କରୁଛି । ଅପରପକ୍ଷରେ ପୋଲିସ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ନହେଲେ ସାଧାରଣ ଜନତାଙ୍କ ଧନ ଜୀବନ ସୁରକ୍ଷିତ ରହିବ ନାହିଁ ବୋଲି ମତ ପ୍ରକାଶ ପାଇଛି ।

Dharitri – Odisha’s No.1 Odia Daily

Share
Tags: Sundargarh