ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଘର ଆଲମିରା ଭାଙ୍ଗି ପ୍ରାୟ ୫ ଭରି ସୁନା ଅଳଙ୍କାର,୪୦ ଭରି ଓଜନର ରୂପା ଅଳଙ୍କାର ଏବଂ ନଗଦ ୮,୬୦୦ ଟଙ୍କା ଲୁଟି ନେଇଛନ୍ତି। ପିଣ୍ଟୁ ଗୁରୁବାର ଘରେ ତାଲା ପକାଇ ସ୍ତ୍ରୀ ପିଲା ଛୁଆଙ୍କୁ ସାଙ୍ଗରେ ନେଇ ଶ୍ବଶୁର ଘର ଜିଉରା ଗାଁକୁ ଠାକୁରାଣୀ ଯାତ୍ରା ଦେଖିବାକୁ ଯାଇଥିଲେ। ଶୁକ୍ରବାର ସକାଳେ ସେ ଘରକୁ ଫେରିବା ପରେ ଘର ସମ୍ମୁଖ କବାଟର ତାଲା ଭଙ୍ଗାଯାଇଥିବା ଦେଖିଥିଲେ। ଘର ଭିତରକୁ ଯାଇ ଦେଖିଥିଲେ ଆଲମିରାରୁ ଲୁଗାପଟା ଓ ଆସବାବ ପତ୍ର ଏଣେ ତେଣେ ଫୋପଡ଼ାଯାଇ ଆଲମିରାରେ ଥିବା ସୁନା,ରୂପା ଅଳଙ୍କାର ଓ ଟଙ୍କା ନ ଥିଲା। ଏ ନେଇ ସେ ଥାନାରେ ଏତଲା ଦେବାପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିବା ସହ ଘର ନିକଟରେ ବିଭିନ୍ନ ବ୍ୟକ୍ତିଙ୍କ ଦୋକାନ ଓ ଘର ସମ୍ମୁଖରେ ଲାଗିଥିବା ସିସିଟିଭି ଯାଞ୍ଚ କରି ପାଖ ପଡୋଶୀ ଲୋକଙ୍କୁ ପଚରା ଉଚୁରା କରି ଫେରିଥିବା ଜଣାପଡ଼ିଛି। ତେବେ ପିଣ୍ଟୁ ଘରେ ଅନୁପସ୍ଥିତ ରହିଥିବା ଏବଂ ତାଲା ପକାଇ ଶ୍ବଶୁର ଘରକୁ ଯାଇଥିବା ଖବର ଦୁର୍ବୃତ୍ତମାନେ ଜାଣିଲେ କେମିତ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୂର୍ବରୁ ପିଣ୍ଟୁ ଏନେଇ କାହାରିକୁ ସୂଚନା ଦେଇଥିଲେ କି ତଦନ୍ତ ବେଳେ ପୋଲିସ ଏହାକୁ ପ୍ରାଥମିକତା ଦେଇଥିବା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି। ତଦନ୍ତ ବେଳେ କେବଳ ୬ ହଜାର ଟଙ୍କା ଏବଂ ହଳେ ସୁନା କାନଫୁଲ ଚୋରି ହୋଇଥିବା ପୋଲିସକୁ ସୂଚନା ମିଳିଛି।
ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା ଚାଲିଥିବା ଯୋଗୁ ବିଳମ୍ବିତ ରାତି ଯାଏଁ ଗହଳି ଚହଳି ଲାଗି ରହୁଥିବା ବେଳେ ତାଲା ଭାଙ୍ଗି ଚୋରି କିଭଳି ନେଲା ସେ ନେଇ ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି। ପ୍ରକୃତ ଘଟଣା ଛାନଭିନ କରାଯିବା ପରେ ମକଦ୍ଦମା ରୁଜୁ କରାଯିବ ବୋଲି ଆଇଆଇସି ଜଣାଇଛନ୍ତି।
Dharitri – Odisha’s No.1 Odia Daily