କେସିଙ୍ଗା,୧୬ା୧୧(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପଡିଥିବା ମାଟିରାସ୍ତା ଦୀର୍ଘବର୍ଷ ପରେ ପିଚୁ ହୋଇଛି। ଆଦର୍ଶ ବିଦ୍ୟାଳୟକୁ ଯାଇଥିବା ୪୦୦ ମିଟର ମାଟିରାସ୍ତା ବର୍ଷାଦିନରେ କାଦୁଅ ପଚ ପଚ ଯୋଗୁ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏପରି କି ସାଇକେଲରେ ଯାଉଥିବା ବେଳେ କାଦୁଅରେ ପଡି ଯାଉଥିଲେ। ରାସ୍ତା ଉନ୍ନତୀକରଣ ପାଇଁ ସ୍ଥାନୀୟ ଲୋକେ ଜିଲାପାଳଙ୍କଠାରେ ଦାବି କରିଆସୁଥିଲେ। ଜିଲାପାଳ ଏହି ସମସ୍ୟା ଦେଥିବା ପରେ ରାସ୍ତା ନିର୍ମାଣ ପାଇଁ ପିଡବ୍ଲ୍ୟୁଡି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ବିଭାଗ ପକ୍ଷରୁ ୧୮ ଲକ୍ଷ ଟଙ୍କା ବ୍ୟୟରେ ଶୁକ୍ରବାର ପିଚୁ ରାସ୍ତା ନିର୍ମାଣ କରାଯାଇଛି। ଏଥିରେ ଛାତ୍ରୀଛାତ୍ର ଖୁସି ବ୍ୟକ୍ତ କରି ବିଭାଗୀୟ ଯନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶନିବାରଠାରୁ ଛାତ୍ରୀଛାତ୍ର ଏହି ରାସ୍ତାରେ ବିନା ବାଧାରେ ସାଇକେଲ ଯିବାଆସିବା କରିଛନ୍ତି। ଏ ସଂକ୍ରାନ୍ତରେ ପିଡବ୍ଲ୍ୟୁଡି ବିଭାଗ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ କରଙ୍କୁ ପଚାରିବାରୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୋଟିଏ ଦିନରେ ମୋ ଉପସ୍ଥିତିରେ ପିଚୁ ରାସ୍ତା ନିର୍ମାଣ କରାଯାଇଛି ବୋଲି ପ୍ରକାଶ କରିଥିଲେ।

