ଲୋକ ମହୋତ୍ସବ: ପାରମ୍ପରିକ ନୃତ୍ୟରେ ଝୁମିଲେ ଦର୍ଶକ

କେସିଙ୍ଗା, ୨୮ା୧୨ (ତୁମେଶର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସହର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୁଢ଼ାଡଙ୍ଗର ମନ୍ଦିରଠାରୁ ମଶାଲ ଯାତ୍ରା ସହର ପରିକ୍ରମା କରି ମହୋତ୍ସବ ମଞ୍ଚରେ ସ୍ଥାପନ କରାଯାଇ ଥିଲା। ତହସିଲଦାର ପ୍ରଶାନ୍ତି ପ୍ରଧାନ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ପୂଜାର୍ଚ୍ଚନା କରି ଏହାକୁ ଉଦ୍‌ଘାଟନ କରିଥିଲେ। ସା ଅଧିବେଶନରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦର୍‌ୱାନ ମୁଖ୍ୟ ଅତିଥି ଓ ଜିଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି, କେସିଙ୍ଗା ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ର ବିବରଣୀ ପଠନ କରିଥିଲେ। ଏହି ଉପଲକ୍ଷେ ଓଡ଼ିଶୀ, ବଜାସାଲ, ଢ଼ାପ ନୃତ୍ୟ, ଘଟ ନୃତ୍ୟ, ଛଉ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ ଆଦି ପରିବେଷିତ ହୋଇଥିଲା। ପାରମ୍ପରିକ ନୃତ୍ୟରେ ଦର୍ଶକ ଝୁମିଉଠିଥିଲେ।

Dharitri – Odisha’s No.1 Odia Daily