ଇସ୍ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍ ସରକାର ପ୍ରତି ସପ୍ତାହରେ ୨ ଦିନ ଲକ୍ଡାଉନ୍ କରିବା ପାଇଁ ବିଚାର କରୁଛନ୍ତି।
ଏନେଇ ଏକ ପ୍ରସ୍ତାବ ରାଜ୍ୟ ସରକାରମାନଙ୍କୁ ଦିଆଯିବା ସହ ଆଜାଦ କଶ୍ମୀର ଏବଂ ଗିଲ୍ଗିଟ୍-ବଲ୍ଟିସ୍ତାନ କର୍ତ୍ତୃପକ୍ଷଙ୍କ ପାଖକୁ ପଠାଯାଇଛି। ସେମାନଙ୍କ ମତାମତ ମିଳିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।
ପ୍ରସ୍ତାବିତ ଯୋଜନାରେ ଶନିବାର ମଧ୍ୟାହ୍ନରୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣା ଜାରି ରହିବ। ଏହି ସମୟରେ ବିବାହ ସମେତ ବ୍ୟବସାୟିକ କାର୍ଯ୍ୟ ହେବ ନାହିଁ। ବଜାର, ଅଫିସ ଓ ଅନ୍ୟାନ୍ୟ ଅଣଜରୁରୀ ସେବା ବନ୍ଦ ରହିବ। ଅଧିକ ବ୍ୟବହାର ସମୟରେ ଆର୍ଥତ୍କ କାର୍ଯ୍ୟ ରୋକି ଶକ୍ତି ସମ୍ବଳ ଉପରୁ ଚାପ ହ୍ରାସ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।
ରାଜ୍ୟଗୁଡ଼ିକର ସହମତି ମିଳିବା ପରେ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ଆଶା କରାଯାଉଛି। ପ୍ରସ୍ତାବକୁ ମଞ୍ଜୁରୀ ମିଳିଲେ ଏପ୍ରିଲ ୪ରୁ ଏହା ଲାଗୁ ହୋଇପାରେ ବୋଲି ସୂଚନା ମିଳିଛି।

